ଉପକାରୀ ପିଜୁଳି

ପିଜୁଳିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ରୋଗ ପ୍ରତିରୋଧକ ଶକ୍ତିକୁ ସନ୍ତୁଳିତ ରଖିବାକୁ ଚାହୁଁଛନ୍ତି କି ? ଯଦି ହଁ, ତେବେ ଦୈନନ୍ଦିନ ଖାଦ୍ୟ ତାଲିକାରେ ପିଜୁଳିକୁ ସାମିଲ କରନ୍ତୁ। ଏଥିରେ ଥିବା ଭିଟାମିନ୍‌ ‘ସି’ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇବାରେ ସାହାଯ୍ୟ କରିଥାଏ। ଆଉ ଏକ କଥା। ପିଜୁଳି ହେଉଛି ଫାଇବର ଗନ୍ତାଘର। ୟୁନିଭର୍ସିଟି ଅଫ ଓ୍ବାଶିଂଟନର ବିଶେଷଜ୍ଞମାନଙ୍କ ଦ୍ୱାରା ହୋଇଥିବା ଏକ ସଦ୍ୟତମ ଗବେଷଣାରୁ ଜଣାପଡିଛି ଯେ, ପିଜୁଳି ଖାଇବା ଦ୍ୱାରା କ୍ୟାନ୍‌ସର ଆଶଙ୍କାକୁ କେତେକାଂଶରେ ଦୂର କରାଯାଇପାରିବ। ଅନ୍ୟପକ୍ଷରେ ପିଜୁଳିରେ ପୋଟାସିୟମ ଏବଂ ମ୍ୟାଗ୍ନେସିୟମ ଭରିରହିଛି। ଏହା ମାଂସପେଶୀକୁ ଦୃଢ଼ ହେବାରେ ସହାୟକ ହୋଇଥାଏ। ତା’ସହ କୋଷ୍ଠକାଠିନ୍ୟଜନିତ ସମସ୍ୟା ଦୂର କରିବାରେ ପିିଜୁଳି ସାହାଯ୍ୟ କରିଥାଏ।