ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ଏମ୍‌ଭି-୯୭କୁ ହରାଇ ବେଣ୍ଡାଗୁଡ଼ା ବିଜୟୀ

କୋରୁକୋଣ୍ଡା,୬ା୬(ଅଶୋକ କୁମାର ପରିଡ଼ା): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ତୁମୁସାପାଲ୍ଲୀ ପଞ୍ଚାୟତ ଏମ୍‌ଭି-୨୨ ଗ୍ରାମ ପଡ଼ିଆରେ ଜୟ ମା’ କାଳୀ କ୍ରିକେଟ ଟୁର୍ନାମେଣ୍ଟ ଶନିବାର ଶୁଭାରମ୍ଭ ହୋଇଯାଇଛି। ଆସନ୍ତା ୧୩ ଯାଏ ହେବାକୁ ଥିବା ପ୍ରତିଯୋଗିତାରେ ୨ ଗ୍ରୁପ୍‌ରେ ମୋଟ ୧୬ଟି ଟିମ୍‌ (ପ୍ରତି ଗ୍ରୁପ୍‌ରେ ୮) ଅଂଶଗ୍ରହଣ କରିଛନ୍ତି। ଉତ୍ସବରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷା ସାବିତ୍ରୀ ପଡ଼ିଆମୀ, ମାଲକାନଗିରି ବ୍ଲକ ଉପାଧ୍ୟକ୍ଷ ନିରଞ୍ଜନ ହାଲଦାର, ଏମ୍‌ପି ପ୍ରତିନିଧି ମୂୟା ମାଡକାମୀ, କୋରୁକୋଣ୍ଡା କ୍ରିକେଟ ଆସୋସିଏଶନ ପ୍ରଯୋଜକ ଅଶୋକ ପରିଡ଼ା, ପଲ୍ଲୀ ମଣ୍ଡଳ ସଭାପତି ଜୟଦେବ ମଣ୍ଡଳ, ସମିତିସଭ୍ୟ ଭୀମା ମାଡକାମୀ, ଗ୍ରାମ ସଭାପତି ଗୋବିନ୍ଦ ମିସ୍ତ୍ରୀ ପ୍ରମୁଖ ଯୋଗଦେଇଥିଲେ।

ପ୍ରଥମ ଦିନରେ ଏମଭି-୯୭ ଓ ବେଣ୍ଡାଗୁଡ଼ା ଦଳ ମଧ୍ୟରେ ମ୍ୟାଚ୍‌ ହୋଇଥିଲା। ବେଣ୍ଡାଗୁଡ଼ା ଟିମ୍‌ ଟସ୍‌ ଜିତି ବୋଲିଂ କରିଥିଲା। ଏମଭି-୯୭ ଟିମ୍‌ ନିର୍ଦ୍ଧାରିତ ୧୨ ଓଭରରେ ୮ ଉଇକେଟ ହରାଇ ୧୪୦ ରନ୍‌ ସଂଗ୍ରହ କରିଥିଲା। ଜବାବରେ ବେଣ୍ଡାଗୁଡ଼ା ଟିମ୍‌ ମାତ୍ର ୭.୨ ଓଭରରେ ୨ ଉଇକେଟ ହରାଇ ୧୪୧ ରନ୍‌ କରି ବିଜୟୀ ହୋଇଥିଲା। ଜୟ ମା’ କାଳୀ କ୍ରିକେଟ ଟୁର୍ନାମେଣ୍ଟ କମିଟି ସଭାପତି ଦୀପଙ୍କର କୀର୍ତ୍ତନୀଆ ଓ ସମ୍ପାଦକ ଗଣେଶ ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କମିଟିର ସମସ୍ତ ସଦସ୍ୟ ଟୁର୍ନାମେଣ୍ଟ ପରିଚାଳନା କରିଥିଲେ।

Share