Categories: ଖେଳ

ଇଂଲଣ୍ଡ ଅଲରାଉଣ୍ଡରଙ୍କ ବଡ଼ ଖୁଲାସା: ଭାରତ ବିପକ୍ଷ ଚତୁର୍ଥ ଟେଷ୍ଟ ପୂର୍ବରୁ ଖେଳାଳିଙ୍କ ଓଜନ ହଠାତ୍‌ ହ୍ରାସ ପାଇଥିଲା

ନୂଆଦିଲ୍ଲୀ,୯।୩: ଇଂଲଣ୍ଡର ଷ୍ଟାର ଅଲ୍‌ରାଉଣ୍ଡର ବେନ ଷ୍ଟୋକ୍ସ ଭାରତ ଗସ୍ତକୁ ନେଇ ବଡ଼ ଖୁଲାସା କରିଛନ୍ତି। ଭାରତ ବିପକ୍ଷ ଚତୁର୍ଥ ଏବଂ ଅନ୍ତିମ ଟେଷ୍ଟ ମ୍ୟାଚ୍‌ ସମୟରେ ତାଙ୍କ ସହ ଅନ୍ୟ ସାଥୀ ଖେଳାଳିଙ୍କ ଓଜନ ହଠାତ୍‌ ହ୍ରାସ ପାଇଥିଲା। ଗୋଟିଏ ସପ୍ତାହରେ ତାଙ୍କର ୫ କିଗ୍ରା ଓଜନ କମିଥିଲା। ସେହିଭଳି ଡୋମ୍‌ ସିବ୍ଲିଙ୍କ ୪ କିଗ୍ରା ଏବଂ ଜିମ୍ମି ଆଣ୍ଡରସନଙ୍କ ୩ କିଗ୍ରା ଓଜନ କମିଥିଲା। ମ୍ୟାଚ୍‌ରେ ବୋଲିଂ କରୁଥିବା ସମୟରେ ଜ୍ୟାକ୍‌ ଲିଚ୍‌ ଅଧାରୁ ପଡ଼ିଆ ବାହାରକୁ ଆସି ଶୌଚାଳୟକୁ ଯାଉଥିଲେ। ସେଠାରେ ସେ ଅଧିକ ସମୟ ବିତାଉଥିଲେ। କାରଣ ମ୍ୟାଚ୍‌ ପୂର୍ବରୁ ଖେଳାଳିମାନେ ପେଟ ସମସ୍ୟାରେ ପୀଡ଼ିତ ହୋଇଯାଇଥିଲେ। ତେବେ ଇଂଲଣ୍ଡର ଖେଳାଳିମାନେ ଦଳ ପ୍ରତି ପ୍ରତିବଦ୍ଧ। ହେଲେ ଅସୁସ୍ଥ ଥିବା ସତ୍ତ୍ୱେ ୪୧ ଡିଗ୍ରୀ ତାପମାତ୍ରାରେ ଖେଳିବା ଖେଳାଳିମାନଙ୍କ ପାଇଁ କଠିନ ଥିଲା ବୋଲି ସେ କହିଛନ୍ତି।

ଏହାଛଡ଼ା ଷ୍ଟୋକ୍ସ ଆହୁରି ମଧ୍ୟ କହିଛନ୍ତି, ଭାରତ ବିପକ୍ଷରେ ଦଳର ଖେଳାଳିମାନେ ସବୁ ପ୍ରକାର ପ୍ରୟାସ କରିଥିଲେ। ହେଲେ ଖେଳାଳିପାଇଁ ଅଧିନାୟକ, କୋଚ୍‌ ଏବଂ ସାଥୀମାନଙ୍କ ବିଚାର ଗୁରୁତ୍ୱପୂର୍ଣ୍ଣ। ଏହା ଏକ ଭଲ ଟିମ୍‌ ଏବଂ ନିଜକୁ ଭଲ ଖେଳାଳି ଭାବେ ପ୍ରସ୍ତୁତ କରିବାକୁ ବାଟ କଢ଼ାଏ। ଅନେକ ଖେଳାଳି ଭାରତକୁ ପ୍ରଥମ ଥର ପାଇଁ ଗସ୍ତ କରିଥିବା ବେଳେ ସେମାନେ ଅନେକ କିଛି ଶିଖିଛନ୍ତି ବୋଲି ସେ କହିଛନ୍ତି।

Share