ବର୍ଷାରେ ବେହାଲ ଭଦ୍ରକ, ବିପଦ ସଙ୍କେତ ଟପିଲା ବୈତରଣୀ

ଭଦ୍ରକ ଅଫିସ, ୧୪।୯: ଲଘୁଚାପଜନିତ ଲଗାଣ ବର୍ଷାରେ ବେହାଲ ଭଦ୍ରକ। ସୋମବାର ରାତିରୁ ଅବିଶ୍ରାନ୍ତ ବର୍ଷା ଯୋଗୁ ଜିଲାର ବିଭିନ୍ନ ବ୍ଲକର ତଳିଆ ଅଞ୍ଚଳରେ ପାଣି ପଶିଥିବା ଜଣାପଡ଼ିଛି। ଏପରିକି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପାଣି ଲହଡ଼ି ଭାଙ୍ଗୁଛି। ଭଣ୍ଡାରିପୋଖରୀ ବ୍ଲକ ସରସଦା ପଞ୍ଚାୟତ ପିରୀପୁର ଗାଁରେ ବର୍ଷାଜଳ ଲୋକଙ୍କ ଘରେ ପଶିଥିବାରୁ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଉକ୍ତ ଗ୍ରାମର ୨୦ ପରିବାର ଏବେ ଜଳବନ୍ଦୀ ଅବସ୍ଥାରେ ରହିଥିବା ବେଳେ ନିଜ ପିଲା ଛୁଆଙ୍କୁ ଧରି ଭୋକ ଉପାସରେ ଅଛନ୍ତି। ସେହିପରି ବିଭିନ୍ନ ତଳି ଅଞ୍ଚଳରେ ବର୍ଷା ପାଣି ଜମି ରହିଛି। ଅନ୍ୟପଟେ ବୈତରଣୀର ଜଳସ୍ତର ଆଖୁଆପଦାଠାରେ ବିପଦ ସଙ୍କେତ ଟପିଛ। ଆଖୁଆପଦାଠାରେ ବିପଦ ସଙ୍କେତ ୧୭.୮୩ ମିଟର ଥିବା ବେଳେ, ଏଠାରେ ୯ଟା ସୁଦ୍ଧା ୧୭.୯୩ ମିଟରରେ ବନ୍ୟା ଜଳ ପ୍ରବାହିତ ହେଉଥିଲା। ଜଳସ୍ତର ବଢ଼ୁଥିବାରୁ ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି।