ହୋଟେଲରେ ଯୁବତୀଙ୍କୁ ନିର୍ଯାତନା; ଅଚେତ ଅବସ୍ଥାରେ ବଳାତ୍କାର, ଆପତ୍ତିଜନକ ଭିଡିଓ କରି ଭାଇରାଲ୍‌ କଲେ ଯୁବକ

ପାଟନା,୨୯।୯: ବିହାରର ବେଗୁସରାଇରେ ଜଣେ ଯୁବତୀଙ୍କୁ ହୋଟେଲକୁ ନେଇ ମାଡ଼ ମାରିବା ଏବଂ ବଳାତ୍କାର କରିବା ଅଭିଯୋଗ ସାମ୍ନାକୁ ଆସିଛି । ଏହାପରେ ଯୁବତୀଙ୍କ ଆପତ୍ତିଜନକ ଭିଡିଓ ରେକର୍ଡ କରି ଭାଇରାଲ୍‌ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି । ଘଟଣାଟି ନଗର ଥାନା ଅଞ୍ଚଳରେ ଜାତୀୟ ରାଜପଥ କଡ଼ରେ ଥିବା ଏକ ହୋଟେଲରେ ଘଟିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ସେପ୍ଟେମ୍ବର ୨୭ ତାରିଖ ସକାଳେ ଯୁବତୀ ଘରୁ ବାହାରିଥିଲେ। ରାସ୍ତାରେ ତାଙ୍କ ପରିଚିତ ଜଣେ ଯୁବକ ବାଇକ୍‌ରେ ଆସି ତାଙ୍କୁ ନେଇ ଏକ ହୋଟେଲକୁ ଯାଇଥିଲେ। ସେଠାରେ ସେ ଯୁବତୀଙ୍କୁ ଅନ୍ୟ ଜଣେ ଯୁବକଙ୍କ ହାତରେ ଛାଡ଼ି ଦେଇଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଅନୁସାରେ, ଯୁବକଜଣକ ଯୁବତୀଙ୍କୁ ହୋଟେଲ ରୁମ୍‌ରେ ବନ୍ଦ କରି ମାଡ଼ ମାରିଥିଲେ। ଜୋତା, ଚପଲ ଓ ଲାତ-ଗୋଇଠା ମରାଯାଇଥିବା ଅଭିଯୋଗ ରହିଛି । ଯୁବତୀ ବାରମ୍ବାର ନିବେଦନ କରିଥିଲେ ମଧ୍ୟ ଅଭିଯୁକ୍ତ ମାଡ଼ ମାରିବା ଜାରି ରଖିଥିବା କୁହାଯାଇଛି। ପରେ ଅଚେତ ଅବସ୍ଥାରେ ପଡ଼ିଥିବା ଯୁବତୀଙ୍କ ସହ ବଳାତ୍କାର କରାଯାଇଥିବା ନେଇ ମାମଲା ହୋଇଛି । ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ମାଡ଼ ମାରିବା ସମୟରେ ମୋବାଇଲ୍‌ରେ ଭିଡିଓ ରେକର୍ଡ କରାଯାଇଥିଲା। ପରେ ତାଙ୍କ ଆପତ୍ତିଜନକ ଭିଡିଓ ମଧ୍ୟ ଭାଇରାଲ୍‌ କରାଯାଇଥିଲା ।

ଘଟଣାର ପରଦିନଠାରୁ ପୀଡ଼ିତା ଥାନାକୁ ଯାଇ ଅଭିଯୋଗ କରିବାକୁ ଚେଷ୍ଟା କରୁଥିଲେ । ସେପ୍ଟେମ୍ବର ୨୮ ତାରିଖ ବିଳମ୍ବିତ ରାତିରେ ତାଙ୍କ ବୟାନ ଆଧାରରେ ନଗର ଥାନା ପୋଲିସ ମାମଲା ରୁଜୁ ପ୍ରକ୍ରିୟା ଆରମ୍ଭ କରିଥିବା ଜଣାପଡ଼ିଛି। ନଗର ଥାନାଧିକାରୀ ସତୀଶ କୁମାର ହିମାଂଶୁଙ୍କ କହିବା ଅନୁସାରେ, ଯୁବତୀଙ୍କ ସହ ହୋଟେଲରେ ମାଡ଼ ମରାଯାଇଥିବା ଭିଡିଓ ପୋଲିସର ହସ୍ତଗତ ହୋଇଛି । ଜଣେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ସହ ତାଙ୍କୁ ଗିରଫ କରିବାକୁ ପୋଲିସ ଉଦ୍ୟମ ଚଳାଇଛି।

 

Dharitri – Odisha’s No.1 Odia Daily

Share