ବେଗୁନିଆ ସରପଞ୍ଚଙ୍କ ସମେତ ୨ ଗିରଫ

ବେଗୁନିଆ,୧୪ା୩(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବେଗୁନିଆ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନର ଫଳାଫଳ ଶନିବାର ଘୋଷଣା ପରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗାଡ଼ି ଭଙ୍ଗାରୁଜା ସହ ଉତ୍ତେଜନା ପ୍ରକାଶ ପାଇଥିଲା। ଏନେଇ ସାରୁଅ ଗ୍ରାମର ସମ୍ବିିତ୍‌ କୁମାର ମହାଭୋଇଙ୍କ ଅଭିଯୋଗକ୍ରମେ ବେଗୁନିଆ ପୋଲିସ ୧୬ଜଣଙ୍କ ନାମରେ ମାମଲା ରୁଜୁ କରିଥିଲା। ଏହି ଘଟଣାରେ ରବିବାର ପୋଲିସ ବେଗୁନିଆ ପଞ୍ଚାୟତର ନବନିର୍ବାଚିତ ସରପଞ୍ଚ ସତ୍ୟନାରାୟଣ ପ୍ରଧାନ ଓ ସୁରେନ୍ଦ୍ର କୁମାର ପାଲଟାସିଂହଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ତେବେ ସତ୍ୟନାରାୟଣଙ୍କୁ ଜାମିନ ମିଳିିଥିବା ପୋଲିସ କହିଛି।
ପ୍ରକାଶ ଯେ, ସମିତି ଅଧ୍ୟକ୍ଷ ପଦ ପାଇଁ ଶନିବାର ବ୍ଲକ କାର୍ଯ୍ୟାଳୟରେ ମତଦାନ କରାଯାଇଥିଲା। ଏଥିରେ ସାରୁଅ ପଞ୍ଚାୟତର ନବନିର୍ବାଚିତ ସମିତିସଭ୍ୟ ଲକ୍ଷ୍ମୀଧର ସୁବୁଦ୍ଧି ତାଙ୍କ ନିକଟତମ ପ୍ରତନ୍ଦ୍ୱନ୍ଦ୍ୱୀଙ୍କୁ ଖଣ୍ଡେ ଭୋଟରେ ହରାଇ ସମିତି ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ଏହାକୁ ନେଇ ପରାଜିତ ପ୍ରାର୍ଥୀଙ୍କ ସମର୍ଥକମାନେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଥିବା ୩ଟି କାର ଭଙ୍ଗାରୁଜା କରିଥିଲେ। ଏହା ସହିତ ବିଜୟୀ ପ୍ରାର୍ଥୀଙ୍କ ସମର୍ଥକଙ୍କୁ ଧମକ ଦେଇଥିଲେ। ଏନେଇ ସାରୁଅ ଗ୍ରାମର ସମ୍ବିତଙ୍କ ଅଭିଯୋଗ ପରେ ପୋଲିସ ଏକ ମାମଲା (ନଂ.୬୨/୨୨) ରୁଜୁ କରିଥିଲା। ଏସ୍‌ପି ଅଲେଖ ଚନ୍ଦ୍ର ପହିଙ୍କ ନିର୍ଦ୍ଦେଶକ୍ରମେ ଏସ୍‌ଡିପିଓ ସୁଶୀଲ କୁମାର ମିଶ୍ର ଓ ଆଇଆଇସି ଲକ୍ଷ୍ମୀ ପ୍ରସାଦ ଶତପଥୀଙ୍କ ସମେତ ୭ଜଣିଆ ପୋଲିସ କର୍ମଚାରୀଙ୍କୁ ନେଇ ଏକ ଟିମ୍‌ ଗଠନ କରାଯାଇ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରହିଛି। ଅନ୍ୟପକ୍ଷରେ ଉତ୍ତେଜନା ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ବେଗୁନିଆ ବ୍ଲକ ଛକରୁ ପୋଷ୍ଟଅଫିସ ଛକ ଓ ବେଗୁନିଆ ବଜାର ଅଞ୍ଚଳରେ ୧୪୪ଧାରା ଜାରି କରାଯାଇଛି। ଏହି କଟକଣା ସୋମବାର ସନ୍ଧ୍ୟା ପର୍ଯ୍ୟନ୍ତ ବଳବତ୍ତର ରହିବ।