Categories: ଭଦ୍ରକ

ପିପିଇ କିଟ୍‌ ପିନ୍ଧି ଭିକ୍ଷାବୃତ୍ତି

ଭଦ୍ରକ ଅଫିସ,୧୫।୨-ଭଦ୍ରକ ସହରରେ ଜଣେ କୋଭିଡ୍‌ ଯୋଦ୍ଧାଙ୍କ ଅଭିନବ ପ୍ରତିବାଦ। ଚାକିରି ହରାଇବା ପରେ ଭିକ୍ଷାବୃତ୍ତିକୁ ଆପଣାଇଛନ୍ତି ଏହି ଯୋଦ୍ଧା। ଦୀର୍ଘଦିନ ଧରି ସ୍ଥାୟୀ ଚାକିରି ପାଇଁ ବାରମ୍ବାର ଦାବି କରିଆସୁଥିଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରୁ ନ ଥିବା ସେ ଅଭିଯୋଗ କରିଛନ୍ତି। ଏଣୁ ଭିକ୍ଷା ବୃତ୍ତି କରି ସେ ଅଭିନବ ପ୍ରତିବାଦ ଜଣାଇଛନ୍ତି। ପିପିଇ କିଟ୍‌ ପିନ୍ଧି ହାତରେ ଥାଳି ଧରି ସହରର ଗଳିକନ୍ଦି ଓ ଦୋକାନରୁ ଦୋକାନ ବୁଲି ଭିକ୍ଷା ମାଗୁଥିବା କହିଛନ୍ତି ଅଶ୍ୱିନୀ ପାଢ଼ୀ ନାମକ ଜଣେ ପାରା ମେଡିକାଲ କର୍ମଚାରୀ। ସେ କହିଛନ୍ତି ଯେ, କରୋନା ମହାମାରୀର ବିଭୀଷିକା ସମୟରେ ସରକାରୀ ସ୍ତରରେ ସେମାନଙ୍କୁ ନିଯୁକ୍ତି ଦିଆଯାଇଥିଲା। ଜିଲାର ୧୫୫ ଜଣଙ୍କୁ ନିଯୁକ୍ତି ମିଳିଥିଲା। ସେମାନଙ୍କୁ ୩ ମାସିଆ ଚୁକ୍ତିଭିତ୍ତିକ ଅସ୍ଥାୟୀ ନିଯୁକ୍ତି ଦେଇ ୯ ମାସ ଧରି କାମ କରାଇଲେ। ହେଲେ ଗତ ଡିସେମ୍ବର ୩୧ରୁ ଛଟେଇ କରି ଦିଆଯାଇଛି। ପ୍ରଥମେ ପ୍ରଶଂସା ଆଉ ଏବେ ଅଦରକାରୀ। ସେତେବେଳେ ପାରା ମେଡିକାଲ କର୍ମଚାରୀଙ୍କୁ କୋଭିଡ୍‌ ଯୋଦ୍ଧା କହି ପ୍ରଶଂସାରେ ପୋତି ପକାଉଥିଲେ। କରୋନା ନିୟନ୍ତ୍ରଣକୁ ଆସିବା ପରେ ଅଦରକାରୀ ଭାବି ଛଟେଇ କରିଦିଆଯାଇଛି। ଏବେ ଭିକ୍ଷାବୃତ୍ତି କରି ପରିବାର ପ୍ରତିପୋଷଣ କରିବେ ବୋଲି ଅଶ୍ୱିନୀ କହିଛନ୍ତି।