ଅପରେଶନ ପୂର୍ବରୁ ଡାକ୍ତର ଖେଳିଲେ ଏମିତି ଖେଳ, ରୋଗୀଙ୍କୁ ହୋଟେଲ ପାଖକୁ ଡାକି…

ଝାରସୁଗୁଡ଼ା, ୧୦।୯: ଲୋକେ ଡାକ୍ତରଙ୍କୁ ଭଗବାନ ଭଳି ବିଶ୍ୱାସ କରନ୍ତି, ହେଲେ ଡାକ୍ତର ଅସ୍ତ୍ରୋପ୍ରଚାର ପୂର୍ବରୁ ରେଗୀଙ୍କୁ ଲାଞ୍ଚ ମାଗିଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡ଼ା ଜିଲାରେ। ଖୋଦ୍‌ ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ସୌରଭ ସୁପ୍ରୀତ ଲାଞ୍ଚ ନେଇ ଧରାପଡ଼ିଛନ୍ତି।
ଅପରେଶସ କରିବା ପାଇଁ ଦୁଇ ଜଣ ରୋଗୀଙ୍କ ଠାରୁ ସେ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀ ତାଙ୍କୁ ମାଡ଼ି ବସିଥିଲେ।
ବେଲପାହାଡ଼ ଦୁଇ ରୋଗୀ ଗୁରୁଦେବ ଗର ଓ ଜୟରାମ ଭଇଁସା ହାଇଡ୍ରୋସିଲ ଅପରେଶନ ହେବା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ। ପରେ ଅସ୍ତ୍ରୋପଚାର କରିବା ପାଇଁ ଡାକ୍ତର ସୌରଭ ସୁପ୍ରୀତ ସେମାନଙ୍କୁ ଲାଞ୍ଚ ମାଗିଥିଲେ । ନ ହେଲେ ଆସନ୍ତା ବୁଧବାର ଅପରେସନ କରାଯିବ ନାହିଁ ବୋଲି କହିଥିଲେ। ପରେ ଏ ନେଇ ସେମାନେ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ। ଯୋଜନା ଅନୁଯାୟୀ, ଏକ ହୋଟେଲ ପାଖରେ ଡାକ୍ତର ସେମାନଙ୍କଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ହାତରେ ଧରାପଡ଼ିଥିଲେ।