ଇମ୍ରାନ୍‌ଙ୍କ ପୂର୍ବରୁ ଭଲ ଥିଲା ପାକ୍‌

ଇସ୍‌ଲାମାବାଦ,୨ା୪ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ଆସନ ଟଳମଳ ସ୍ଥିତିରେ ଥିବାବେଳେ ତାଙ୍କ ପୂର୍ବତନ ସ୍ତ୍ରୀ ରେହମ ଖାନ୍‌ଙ୍କ ଏକ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି, ଇମ୍ରାନଙ୍କ ଶାସନରେ ଦେଶରେ ଉପୁଜିଥିବା ଜଟିଳ ସ୍ଥିତିକୁ ଦୂର କରିବା ପାଇଁ ଦେଶବାସୀଙ୍କୁ ଏକାଠି ହେବାକୁ ପଡ଼ିବ। ଇମ୍ରାନ ଶାସନ କ୍ଷମତାକୁ ଆସିବା ପୂର୍ବରୁ ପାକିସ୍ତାନ ସ୍ଥିତି ଭଲ ଥିଲା। ଦେଶ ଚଳାଇବା ପାଇଁ ଇମ୍ରାନ୍‌ଙ୍କ ପାଖରେ କ୍ଷମତା କି ଦକ୍ଷତା ନ ଥିବା ଟୁଇଟରରେ ଏକ ପୋଷ୍ଟ ଶେୟାର କରି ରେହମ କହିଛନ୍ତି। ୨୦୧୮ରେ ଶାସନ କ୍ଷମତାକୁ ଆସିଥିବା ଇମ୍ରାନ୍‌ ‘ନୂଆ ପାକିସ୍ତାନ’ ଗଠନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଇମ୍ରାନଙ୍କ ବିରୋଧରେ ପାର୍ଲାମେଣ୍ଟରେ ଆଗତ ଅନାସ୍ଥା ପ୍ରସ୍ତାବ ନେଇ ଭୋଟ ଗ୍ରହଣ ଆସନ୍ତା ୩ ତାରିଖରେ କରାଯିବ। ଇମ୍ରାନ୍‌ଙ୍କ ଇସ୍ତଫା ନେଇ ଚର୍ଚ୍ଚା ଜୋର୍‌ ଧରିଥିବାବେଳେ ଗୁରୁବାର ଇମ୍ରାନ୍‌ କହିଥିଲେ ଯେ, ୨୦ ବର୍ଷ ଧରି ମୁଁ କ୍ରିକେଟ ଖେଳିଛି । ଶେଷ ବଲ୍‌ ପର୍ଯ୍ୟନ୍ତ ମୁଁ ଖେଳିଛି ।

Share