ଭୁବନେଶ୍ୱର,୧୮।୭: ବାଲେଶ୍ବର ଛାତ୍ରୀ ମୃତ୍ୟୁ ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଗୋଟିଏ ପଟେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରୁଥିବାବେଳେ ଅନ୍ୟପଟେ ସରକାରଙ୍କୁ ପ୍ରଶ୍ନବାଣରେ ଘାଇଲା କରୁଛନ୍ତି ବିରୋଧୀ। ଏହି ସମୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସୌମ୍ୟାଶ୍ରୀଙ୍କ ଦେହରେ ନିଆଁ ଲାଗିବା ପରେ ଶେଷ କଥା କ’ଣ କହିଛନ୍ତି। ଏନେଇ ସୌମ୍ୟାଶ୍ରୀଙ୍କ ଅତି ଘନିଷ୍ଠ ବନ୍ଧୁ ପ୍ରକାଶ କରିଛନ୍ତି। ସୂଚନାନୁଯାୟୀ, ସୌମ୍ୟାଶ୍ରୀଙ୍କ ଦେହରେ ନିଆଁ ଲାଗିବା ପରେ ସେ ପ୍ରିନ୍ସପାଲଙ୍କ ଚାମ୍ବରକୁ ଯିବାକୁ ଚେଷ୍ଟା କରୁଥିଲେ, ତାହା ସିସିଟିଭିରେ ଦେଖିବାକୁ ମିଳିଥିଲା। ଏହାପରେ କଲେଜର ମଞ୍ଚ ପାଖକୁ ଯାଇଥିଲେ, ଆଉ ସେଇଠି ହିଁ ଅର୍ଦ୍ଧଧଗ୍ଧ ଅବସ୍ଥାରେ ପଡିଥିଲେ। ଘନିଷ୍ଠ ବନ୍ଧୁଙ୍କ କହିବାନୁସାରେ, ମୁଁ ସୌମ୍ୟାଶ୍ରୀଙ୍କ କଲେଜରେ ପଢୁନଥିଲି। ମୁଁ ଅନ୍ୟ ଏକ କଲେଜରେ ପଢେ। ସୌମ୍ୟାଶ୍ରୀଙ୍କ ଦେହରେ ନିଆଁ ଲାଗିବା କଥା ଶୁଣି ମୁଁ ସ୍କୁଟି ଯୋଗେ କଲେଜରେ ପହଞ୍ଚିଥିଲି। ପହଞ୍ଚିଲା ପରେ ଦେଖିଲି ସୌମ୍ୟାଶ୍ରୀ ତଳେ ପଡିଯାଇଥିଲେ। ସେଠାରେ ଉପସ୍ଥିତ ଥିବା ଛାତ୍ରୀଛାତ୍ର, ଅଧ୍ୟାପିକା, ଅଧ୍ୟାପକ କିଛି ସାହାଯ୍ୟ କରୁନଥିଲେ। ଉପରେ ଗୋଟେ ଓଢଣୀ ପଡିଥିଲା। କିଛି ସମୟ ପରେ ସୌମ୍ୟାଶୀ କହିଥିଲେ ମୋତେ ଟିକେ ପାଣି ଦରକାର। ତାଙ୍କର ଜଣେ ବଡ଼ ଭାଇ ପାଣି ଆଣିକି ଦେଇଥିଲେ, ପିଇବା ପରେ ଆମ୍ବୁଲାନ୍ସ ଆସି ପହଞ୍ଚିଥିଲା। ସୌମ୍ୟାଶ୍ରୀ ଚିତ୍କାର କରୁଥିଲେ, କହୁଥିଲେ ମୋତେ ବହୁତ କଷ୍ଟ ହେଉଛି, ମୁଁ ଠିକ୍ ହୋଇଯିବି ତ! ହେଲେ କିଛି ସମୟ ପରେ ତାଙ୍କର ଚିତ୍କାର ଶୁଭୁନଥିଲା। ବୋଧ ହୁଏ ସୌମ୍ୟାଶ୍ରୀଙ୍କ ଚେତା ପଳାଇଥିଲା।
ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପରେ ରାଜ୍ୟ ସରକାର ଏହି ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି। ଘଟଣାର ସତ୍ୟାସତ୍ୟ କିଭଳି ଖୁବ୍ଶୀଘ୍ର ଲୋକଲୋଚନକୁ ଆସିବ, ସେନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। କ୍ରାଇମବ୍ରାଞ୍ଚ ପୋଲିସ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର ଏହି ମାମଲା(ସହଦେବଖୁଣ୍ଟା ଥାନାରେ ମାମଲା ନଂ. ୨୨୯/୨୫)ର ତଦନ୍ତ ପାଇଁ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ। ତଦନ୍ତ ଭାର ଦାୟିତ୍ୱ ଡିଏସ୍ପି ଇମାନ କଲ୍ୟାଣ ନାୟକ ଓ ମାମଲାର ଆଇଓ ଭାବେ ଇନ୍ସପେକ୍ଟର ପାଞ୍ଚାଲି ରାଉତ ସହାୟତା କରିବେ ବୋଲି ନିର୍ଦ୍ଦେଶନାମାରେ ଦର୍ଶାଯାଇଥିଲା। ତଦନୁଯାୟୀ ଏହି ଟିମ ଗୁରୁବାର କଲେଜରେ ପହଞ୍ଚତ୍ ସମସ୍ତ ଘଟଣାର ଅନୁଧ୍ୟାନ କରିଥିଲେ। ଗ୍ରାଉଣ୍ଡରୁ ସମସ୍ତ ତଥ୍ୟ ସଂଗ୍ରହ ନିମନ୍ତେ ତଦନ୍ତ ତ୍ୱରାନ୍ବିତ କରିଥିଲେ। ଛାତ୍ରୀଙ୍କ ଆତ୍ମାହୁତି ଘଟଣାର ସମସ୍ତ ଦିଗକୁ ନେଇ ଆଇସିସିର ସଦସ୍ୟ ଓ କଲେଜ ଷ୍ଟାଫ୍ଙ୍କୁ ତଦନ୍ତ ପରିସରଭୁକ୍ତ କରିଛି। ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ଦୀର୍ଘ ୩ଘଣ୍ଟା ଧରି ପଚରାଉଚରା ଓ ରିପୋର୍ଟ ସଂଗ୍ରହ ପରେ ଆଇଜି ଏସ ସାଇନି ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଥିଲେ, ଠିକ ଏବଂ ଯୋଜନାବଦ୍ଧ ଭାବେ ତଦନ୍ତ ଜାରି ରହିଛି। କୌଣସି ନିଷ୍କର୍ଷରେ ପହଞ୍ଚତ୍ବା ପୂର୍ବରୁ ସୂଚନା ଦେବା ସମ୍ଭବ ନୁହେଁ। ପରବର୍ତ୍ତୀ ସମୟରେ ଏ ବାବଦରେ ସମସ୍ତ ତଥ୍ୟ ପ୍ରଦାନ କରାଯିବ ବୋଲି କହିଥିଲେ।


