Categories: ଜାତୀୟ

ନିର୍ବାଚନ ପୂର୍ବରୁ ଦୀପାବଳି, ୩୦ ଲକ୍ଷ ବୁଥ୍‌ କର୍ମୀଙ୍କ ପାଖକୁ ଭାଜପା ପଠାଇଲା ଉପହାର…

ଲକ୍ଷ୍ନୌ,୨୮।୧୦: ଆସନ୍ତା ୨୦୨୨ରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବ। ଏହାକୁ ଦୃଷ୍ଟିରେ ରଖି ବୁଥ୍‌ କର୍ମୀଙ୍କ ମଧ୍ୟରେ ଉତ୍ସାହ ବ୍ୟଦ୍ଦି କରାଇବା ଲାଗି ଭାଜପା ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟର ୩୦ ଲକ୍ଷ ବୁଥ୍‌ କର୍ମୀ ଏବଂ କାର୍ଯ୍ୟକର୍ତ୍ତାଙ୍କ ପାଖକୁ ଦୀପାବଳି ଉପହାର ପଠାଯାଇଛି।

୨୦୧୭ ବିଧାନସଭା ନିର୍ବାଚନରେ ଭାଜପାର ତତ୍କାଳୀନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ବୁଥ ପରିଚାଳନା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ବୁଥସ୍ତରର କର୍ମୀଙ୍କ ଘର ବୁଲି ଖାଦ୍ୟ ଖାଇ ପାରିବାରିକ ପରିବେଶ ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ। ଅମିତ ଶାହା ରାଜ୍ୟର ପ୍ରତ୍ୟେକ କ୍ଷେତ୍ରରେ ବୁଥସ୍ତରୀୟ ସମ୍ମିଳନୀକୁ ମଧ୍ୟ ସମ୍ବୋଧିତ କରିଥିଲେ।

ସମାନ କ୍ରମରେ ଭାଜପା ପକ୍ଷରୁ ମିଶନ-୨୦୨୨ରେ ମଧ୍ୟ ବୁଥ ସ୍ତରର କର୍ମକର୍ତ୍ତାଙ୍କୁ ଦୀପାବଳି ଉପହାର ପଠାଇଛି। ଶୁକ୍ରବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଲକ୍ଷ୍ନୌ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟରେ ଏକ ଲକ୍ଷ ୬୩ ହଜାର ବୁଥ ଅଛି ଏବଂ ୧.୫ ଲକ୍ଷରୁ ଅଧିକ ବୁଥରେ ଭାଜପା ପକ୍ଷରୁ ୨୦ ଜଣିଆ ସଦସ୍ୟ କମିଟି ଗଠନ କରିଛି। ରାଜ୍ୟରେ ୩୦ ଲକ୍ଷରୁ ଅଧିକ ବୁଥ ସ୍ତରର କର୍ମୀ ଅଛନ୍ତି। ଦଳ ବୁଥ କମିଟିର ସମସ୍ତ ସଦସ୍ୟଙ୍କୁ ଉପହାର ପଠାଇଛି। ଉପହାର ପ୍ୟାକେଟରେ ଏକ ତୋରଣ ଦ୍ୱାର ଏବଂ ପଦ୍ମ ଆକୃତିର ଦୀପ ରହିଛି।

ଭାଜପାର ରାଜ୍ୟ ୟୁନିଟ ଉପାଧ୍ୟକ୍ଷ ତଥା ବିଧାନ ପରିଷଦ ସଦସ୍ୟ ବିଜୟ ବାହାଦୂର ପାଠକ ଗୁରୁବାର କହିଛନ୍ତି ଯେ, ଆମେ ସମସ୍ତେ ଏକାଠି କାମ କରୁଛୁ ଏବଂ ବୁଥ କର୍ମଚାରୀମାନେ ଭାଜପା ପରିବାରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଦୀପାବଳିରେ ଉପହାର ଦେବା ଏକ ପରମ୍ପରା। ତେଣୁ ୩୦ ଲକ୍ଷରୁ ଅଧିକ ବୁଥ କର୍ମଚାରୀଙ୍କ ପାଖକୁ ଉପହାର ପଠାଯାଇଛି।

Share