କାଠ ସଂଗ୍ରହ ବେଳେ ମହୁମାଛି ଆକ୍ରମଣ: ୪ ଜଣ ଆହତ, ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ

ତୁମୁଡ଼ିବନ୍ଧ, ୨୮୯ (ଦୀପକ କୁମାର ପରାସେଠ): ଜାଳେଣି କାଠ ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥିବାବେଳେ ମହୁମାଛି ଆକ୍ରମଣରେ ୪ ଜଣ ଆହତ ହୋଇଛନ୍ତି। କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ଡଙ୍ଗରପଦର ଗ୍ରାମ ନିକଟସ୍ଥ ଭୀମା ଡଙ୍ଗର ଅଞ୍ଚଳରେ ଏଭଳି ଘଟଣା ଘଟିଛି।

ସୂଚନା ଅନୁଯାୟୀ, ଆଜି ସକାଳେ ଡଙ୍ଗରପଦର ଗ୍ରାମର କିଛି ଲୋକ ଘର ପାଇଁ ଜାଳେଣି କାଠ ସଂଗ୍ରହ କରିବା ଉଦ୍ଦେଶ୍ୟରେ ନିକଟସ୍ଥ ଭୀମା ଡଙ୍ଗରକୁ ଯାଇଥିଲେ। ସେମାନେ ଜଙ୍ଗଲରେ କାଠ ସଂଗ୍ରହ କରୁଥିବା ସମୟରେ ହଠାତ୍‌ ଏକ ମହୁମାଛି ଦଳ ସେମାନଙ୍କ ଉପରେ ଆକ୍ରମଣ କରିଥିଲା। ଏଥିରେ ୪ ଜଣ ଆହତ ହୋଇଥିଲେ।

ଘଟଣା ସମ୍ପର୍କରେ ଜାଣିବା ପରେ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲେ। ପରେ ସେମାନଙ୍କୁ ତୁମୁଡ଼ିବନ୍ଧସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଭର୍ତ୍ତି କରାଯାଇଥିଲା।

ମହୁମାଛି ଆକ୍ରମଣରେ ଆହତମାନେ ହେଲେ ଆମର ପ୍ରଧାନୀ (୧୯), ବିଲୁ ପ୍ରଧାନୀ (୩୦), ଆନନ୍ଦ ବେରୁକ (୫୫) ଓ ଜଗନ ପ୍ରଧାନୀ (୨୩)। ସମସ୍ତଙ୍କୁ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଛି। ଡାକ୍ତରଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ସମସ୍ତ ୪ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଚିକିତ୍ସକଙ୍କ ନିରୀକ୍ଷଣରେ ସେମାନଙ୍କ ଚିକିତ୍ସା ଜାରି ରହିଛି।

Share