Categories: ଜାତୀୟ

ବିଟିଂ ଦ ରିଟ୍ରିଟରେ ହେବ ଦେଶର ସବୁଠାରୁ ବଡ ଡ୍ରୋନ ଶୋ, ୩ ସେନା ବଜାଇବେ ଶାସ୍ତ୍ରୀୟ ଧୁନ

ନୂଆଦିଲ୍ଲୀ,୨୯ ।୧: ଦେଶର ୭୪ ତମ ସାଧାରଣତନ୍ତ୍ର ଦିବସ ଏବେ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇନାହିଁ । ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ୨୯ ଜାନୁୟାରୀରେ ‘ବିଟିଂ ଦ ରିଟ୍ରିଟ’ ସମାରୋହର ଆୟୋଜନ ହୋଇଥାଏ । ‘ବିଟିଂ ଦ ରିଟ୍ରିଟ’ ସହ ଚଳିତ ବର୍ଷର ସାଧାରଣତନ୍ତ୍ର ଦିବସ ଶେଷ ହେବ । ଏହି ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ସାମିଲ ହେବେ ।
ଚଳିତ ବର୍ଷର ବିଟିଂ ଦ ରିଟ୍ରିଟ ସମାରୋହ ଖୁବ୍ ସ୍ୱତନ୍ତ୍ର ହେବାକୁ ଯାଉଛି । ଏହି ସମାରୋହକୁ ନଜରରେ ରଖି ପୋଲିସ ଟ୍ରାଫିକ ଆଡଭାଇଜରୀ ଜାରି କରିଛି । ଦିଲ୍ଲୀର ବିଜୟ ଚୌକରେ ଆୟୋଜିତ ହେବାକୁ ଯାଉଥିବା ବିଟିଂ ଦ ରିଟ୍ରିଟ ସେରିମନିରେ ଦେଶର ସବୁଠାରୁ ବଡ ଡ୍ରୋନ ଶୋ’ର ଆୟୋଜନ କରାଯାଇଛି ।
ଚଳିତ ବର୍ଷ ‘ବିଟିଂ ଦ ରିଟ୍ରିଟ’ ସେରିମନିରେ ଆୟୋଜିତ ଡ୍ରୋନ ଶୋରେ ୩,୫୦୦ ସ୍ୱଦେଶୀ ଡ୍ରୋନ୍ ସାମିଲ ହେବ । ଦେଶର ଇତିହାସରେ ଏହା ସବୁଠାରୁ ବଡ ଡ୍ରୋନ ଶୋ । ଏହି ଡ୍ରୋନ୍ ସହଜ ତାଳମେଳ ମାଧ୍ୟମରେ ରାଷ୍ଟ୍ରୀୟ ପ୍ରତିକ ଓ ଘଟଣାର ଅସଂଖ୍ୟ ରୂପକୁ ପ୍ରଦର୍ଶିତ କରିବ । ଏହି ଡ୍ରୋନ ଶୋ’ରେ ଷ୍ଟର୍ଟଅପ ଇକୋସିଷ୍ଟମର ସଫଳତାକୁ ପ୍ରଦର୍ଶନ କରାଯିବ । ଏହି ଶୋ’କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବ୍ ଉତ୍ସାହିତ ଥିବା ବେଳେ, କହିଛନ୍ତି ଆଗାମୀ ଦିନ ଡ୍ରୋନର ଯୁଗ ହେବ ।
ଏହା ବ୍ୟତୀତ ବିଟିଂ ଦ ରିଟ୍ରିଟ ସେରିମନି ପ୍ରଥମଥର ନର୍ଥ ଓ ସାଉଥ ବ୍ଲକର ଅଗ୍ରଭାଗରେ ପ୍ରଥମ କରି ୩ଡି ଏନାମାଁର୍ଫିକ ପ୍ରୋଜେକଶନର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମ ଏହି ସମାରୋହକୁ ଆହୁରି ସ୍ୱତନ୍ତ୍ର କରିଦେବ । ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ସେନାର ୩ଟି ଅଙ୍ଗ ଓ ରାଜ୍ୟ ପୋଲିସ ଓ ସିଏପିଏଫର ସଙ୍ଗୀତ ବ୍ୟାଣ୍ଡ ଦ୍ୱାରା ‘ବିଟିଂ ଦ ରିଟ୍ରିଟ’ ସେରିମନିରେ ୨୯ ଧୁନ ବଜାଯିବ । ସମାରୋହର ଆରମ୍ଭ ଅଗ୍ନିବୀର ଧୁନରୁ ହେବ ।

Share