ଶ୍ରୀକ୍ଷେତ୍ରରେ ପୁଣି ପର୍ଯ୍ୟଟକଙ୍କୁ ମାଡ଼

ପୁରୀ ଅଫିସ,୧୩।୨: ଶ୍ରୀକ୍ଷେତ୍ରରେ ପୁଣି ଥରେ ବଙ୍ଗୀୟ ପର୍ଯ୍ୟଟକଙ୍କୁ ମାଡ଼ ମରାଯାଇଛି। ଏଥର କିନ୍ତୁ ସ୍ଥାନୀୟ ଲୋକ ନୁହେଁ ବରଂ ପୋଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଶୁକ୍ରବାର ଶ୍ରୀମନ୍ଦିର ପଶ୍ଚିମଦ୍ୱାର ନିକଟରେ ଏହି ଘଟଣା ଘଟିଛି। ତେବେ ଏନେଇ ସମ୍ପୃକ୍ତ ପର୍ଯ୍ୟଟକଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇନାହିଁ। ଏହି ଘଟଣାର ତଦନ୍ତ ପାଇଁ ଏସ୍‌ପି ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲାରୁ ଏକ ବଙ୍ଗୀୟ ପରିବାରର ୯ ଜଣ ସଦସ୍ୟ ପୁରୀ ବୁଲି ଆସିଥିଲେ। ଶୁକ୍ରବାର ସକାଳେ ସେମାନେ ଶ୍ରୀମନ୍ଦିର ଆସି ଦାରୁଦିଅଁଙ୍କ ଦର୍ଶନ କରିଥିଲେ। ଦର୍ଶନ ସାରି ପଶ୍ଟିମଦ୍ୱାର ଦେଇ ବାହାରକୁ ବାହାରିଥିଲେ। ପରିବାର ସହ ଥିବା ଜଣେ ବୃଦ୍ଧାଙ୍କୁ ପଶ୍ଚିମ ଘର ଗୁମୁଟ ପାଖରେ ବସାଇ ଅଟୋ ଡାକିବା ପାଇଁ କେତେଜଣ ସଦସ୍ୟ ଚାଲିଯାଇଥିଲେ। କିଛି ସମୟ ପରେ ସେମାନେ ଫେରି ପଶ୍ଚିମ ଦ୍ୱାର ସମ୍ମୁଖକୁ ଅଟୋ ଡକାଇ ବୃଦ୍ଧାଙ୍କୁ ମନ୍ଦିର ଭିତରୁ ଆଣିବାକୁ ଉଦ୍ୟମ କରିବାବେଳେ ସେଠାରେ ଦାୟିତ୍ୱରତ ପୋଲିସ କର୍ମଚାରୀ ବାରଣ କରିଥିଲେ। ନୂଆ ଏସ୍‌ଓପି ଅନୁଯାୟୀ କେବଳ ସିଂହଦ୍ୱାର ଦେଇ ପ୍ରବେଶ ଅନୁମତି ରହିଛି। ତେଣୁ ସମ୍ପୃକ୍ତ ବଙ୍ଗୀୟ ପରିବାର ସଦସ୍ୟଙ୍କୁ ପଶ୍ଚିମଦ୍ୱାର ଦେଇ ଶ୍ରୀମନ୍ଦିର ପ୍ରବେଶକୁ ପୋଲିସ କର୍ମଚାରୀ ବିରୋଧ କରିଥିଲେ। ବଙ୍ଗୀୟ ପରିବାରର ସଦସ୍ୟମାନେ ଘଟଣା ସମ୍ପର୍କରେ ବୁଝାଇଥିଲେ ମଧ୍ୟ ପୋଲିସ କର୍ମଚାରୀ କିଛି ଶୁଣି ନ ଥିଲେ। ଫଳରେ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହୋଇ ବଚସା ବଢ଼ିଥିଲା। ଏହି ସମୟରେ ପୋଲିସ କର୍ମଚାରୀ ସମ୍ପୃକ୍ତ ବଙ୍ଗୀୟ ପରିବାରର ଜଣେ ବରିଷ୍ଠ ସଦସ୍ୟ ପ୍ରିୟବ୍ରତ ସାହୁଙ୍କୁ ଠେଲାପେଲା କରିବା ସହ ମାଡ଼ ମାରିଥିଲେ। ଏହାକୁ ପରିବାର ଲୋକେ ପ୍ରଥମେ ବିରୋଧ କରିଥିଲେ ମଧ୍ୟ ପରେ ବୃଦ୍ଧାଙ୍କୁ ଛାଡ଼ିଦେବା ପାଇଁ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କୁ ହାତଯୋଡ଼ି ନେହୁରା ହୋଇଥିଲେ। ମାତ୍ର ଏଥିରେ ବି ପୋଲିସ କର୍ମଚାରୀଙ୍କ ହୃଦୟ ତରଳି ନ ଥିଲା। କେତେଜଣ ବରିଷ୍ଠ ସେବାୟତ ଓ ସ୍ଥାନୀୟ ଲୋକ ଏହା ଦେଖି ଘଟଣାରେ ହସ୍ତକ୍ଷେପ କରିବା ପରେ ବୃଦ୍ଧାଙ୍କୁ ଛଡ଼ାଯାଇଥିଲା। ସୂଚନାଯୋଗ୍ୟ, ଗତ ଫେବୃଆରୀ ୧ରେ ଜଣେ ବଙ୍ଗୀୟ ପର୍ଯ୍ୟଟକଙ୍କୁ ପୁରୀରେ ମାଡ଼ ମରାଯାଇଥିଲା।
ସମ୍ପୃକ୍ତ ପର୍ଯ୍ୟଟକଙ୍କ ବିରୋଧରେ ମାମଲା
ଅନ୍ୟପକ୍ଷରେ ଏହି ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଏକ ମାମଲା (ନଂ. ୧୧/୨୧) ରୁଜୁ କରାଯାଇଛି। ଅଜଣା ପର୍ଯ୍ୟଟକଙ୍କ ବିରୋଧରେ ପୋଲିସ ଆଇପିସି ଧାରା ୨୯୪, ୩୨୩, ୩୫୩ ଓ ୩୪ ସମେତ ଶ୍ରୀଜଗନ୍ନାଥ ମନ୍ଦିର ଆଇନ ସେକ୍ସନ ୩୦ଏ (୪)(ବି) ଆଧାରରେ ମାମଲା ରୁଜୁ କରିଛି। ଅଭିଯୋଗ ଅନୁଯାୟୀ, ପଶ୍ଚିମ ଦ୍ୱାର ଦେଇ ସମ୍ପୃକ୍ତ ପର୍ଯ୍ୟଟକ ଜୋର ଜବରଦସ୍ତ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ସେଠାରେ ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀ ଏହାକୁ ବିରୋଧ କରିବା ପରେ ସମ୍ପୃକ୍ତ ପର୍ଯ୍ୟଟକ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଅଣସ୍ବୀକୃତି ପ୍ରବେଶ ପାଇଁ ପୋଲିସ କର୍ମଚାରୀଙ୍କୁ ବାଧ୍ୟ କରିଥିଲେ। ଏ ନେଇ୨୪ ଘଣ୍ଟା ମଧ୍ୟରେ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ଅତିରିକ୍ତ ଏସ୍‌ପି ପି.ସି.ବଡଜେନାଙ୍କୁ ଏସ୍‌ପି କନୱର ବିଶାଲ ସିଂ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତରେ ଯେକୌଣସି ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍‌ପି କହିଛନ୍ତି।