‘ମୋତେ ମାଡ଼ ମାର, ମୋ ସମର୍ଥକଙ୍କୁ ଆକ୍ରମଣ କରନି’

ପଦ୍ମପୁର,୨୪।୧୧(ଡି.ଏନ.ଏ.): ବରଗଡ଼ ଜିଲା ପାଇକମାଳ ବ୍ଲକ ପଥରେଲ ଗାଁରେ ମଙ୍ଗଳବାର ପଦ୍ମପୁର ଉପନିର୍ବାଚନ ପାଇଁ ଭାଜପାର ଏକ ସମାବେଶ ଚାଲିଥିବା ବେଳେ କିଛି ଅସାମାଜିକ ତତ୍ତ୍ୱ ଆସି ସଭାସ୍ଥଳରେ ମାଇକ୍‌ ଛଡାଇନେଲେ, ଟେଣ୍ଟ ଭାଙ୍ଗିଲେ। ଏହାସହ ଭାଜପା କର୍ମକର୍ତ୍ତାଙ୍କ ଉପରେ ଆକ୍ରମଣ କରି ତାଙ୍କ ଘର ମଧ୍ୟ ଭାଙ୍ଗିଲେ। ଏପରିକି ମୋ ଉପରେ ମଧ୍ୟ ଆକ୍ରମଣ କରିବାକୁ ଉଦ୍ୟମ କଲେ। ସେଠାରେ ଉପସ୍ଥିତ ଗ୍ରାମବାସୀ ସୁରକ୍ଷା ଦେବାରୁ ଆମେ ବର୍ତ୍ତିଗଲୁ। ଏ ସମ୍ପର୍କରେ ପାଇକମାଳ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ଶାସକ ଦଳର ଜଣେ ମନ୍ତ୍ରୀଙ୍କ ଚାପରେ ପୋଲିସ ଅଭିଯୁକ୍ତଙ୍କୁ ଥାନାରୁ ଛାଡିଦେଲା। ଯଦି ମୋ ଉପରେ ରାଗ ଅଛି, ତାହେଲେ ମୋତେ ପଛେ ମାଡ଼ ମାର କିନ୍ତୁ ମୋ ସମର୍ଥକ ଓ କାର୍ଯ୍ୟକର୍ତ୍ତାଙ୍କ ଉପରେ ଆକ୍ରମଣ କରନାହିଁ। ବୁଧବାର ପଦ୍ମପୁର ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଭାଜପା ପ୍ରାର୍ଥୀ ପ୍ରଦୀପ ପୁରୋହିତ ଶାସକ ଦଳର ନେତା ଓ ମନ୍ତ୍ରୀଙ୍କୁ ଏଭଳି କୋହଭରା ନିବେଦନ କରିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ଭାଜପା ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ, କ୍ଷେତ୍ରୀୟ ଗଣମାଧ୍ୟମ ପ୍ରଭାରୀ ମାନସ ରଞ୍ଜନ ବକ୍ସି ଏବଂ ଚିନ୍ମୟ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟପକ୍ଷେ ଭାଜପାର ଏଭଳି ଅଭିଯୋଗ ଉପରେ ବିଜେଡି ନେତୃତ୍ୱଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।