ଥାନାରେ ଅଭିଯୋଗକାରୀଙ୍କୁ ମାଡ଼

ବଳଙ୍ଗା,୯।୫(ଡି.ଏନ୍‌.ଏ.): ପୁରୀ ଜିଲା ବଳଙ୍ଗା ଥାନାରେ ଗତ ଦୁଇଦିନ ତଳେ ଅଭିଯୋଗ କରିବାକୁ ଯାଇଥିବା ଜଣେ ଅଭିଯୋଗକାରୀଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ଅଭିଯୋଗକାରୀଙ୍କ ସ୍ତ୍ରୀ ସୋମବାର ନ୍ୟାୟ ପାଇଁ ଘଟଣା ସମ୍ପର୍କରେ ଏସ୍‌ପି ଓ ଡିଜିପିଙ୍କୁ ଚିଠି ଲେଖି ଜଣାଇଛନ୍ତି। ହେଲେ ଏଭଳି ଅଭିଯୋଗକୁ ବଳଙ୍ଗା ଥାନା ପକ୍ଷରୁ ଖଣ୍ଡନ କରାଯାଇଛି। ସୂଚନା ଅନୁଯାୟୀ, ବଳଙ୍ଗା ଥାନା ନିକଟସ୍ଥ ଅଲଣ୍ଡାପଡା ଗ୍ରାମର ନୃସିଂହ ମଲ୍ଲିକଙ୍କ ସ୍ତ୍ରୀ ପଦ୍ମାବତୀଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ଦେଢଶୁର ପବିତ୍ର ମଲ୍ଲିକଙ୍କ ସହିତ ଜାଗାବାଡିକୁ ନେଇ ବିବାଦ ଲାଗିରହିଥିବା ବେଳେ ଏ ସମ୍ପର୍କରେ କୋର୍ଟରେ କେସ୍‌ ରହିଛି। ଗତ ୫ ତାରିଖ ଦିନ ଦେଢଶୁର ପବିତ୍ର ସାନଭାଇ ନୃସିଂହଙ୍କ ଜାଗାକୁ ମଡାଇ ଘର କରୁଥିବା ଘଟଣା ସମ୍ପର୍କରେ ପରଦିନ ନୃସିଂହ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଜମିବାଡ଼ି ମାମଲା ନ ବୁଝିପାରିବାରୁ ନୃସିଂହ କହିଥିଲେ ଗାଁକୁ ପୋଲିସ ଗାଡି ଗଲେ ଭୟରେ ପବିତ୍ର କାମ ବନ୍ଦ କରିଦେବ ବୋଲି ଅନୁରୋଧ କରିଥିଲେ। ଆମ ଜାଗାକୁ ମଡାଇ କାମ କରୁଛି, ପ୍ରତିବାଦ କଲେ ଆମ ନାମରେ ମିଥ୍ୟା ମାମଲା କରିଥିବା ନୃସିଂହ କହିଥିଲେ। ଏପରିକି ପୂର୍ବରୁ ଥିବା ଥାନାର ଜଣେ ମହିଳା ପୋଲିସଙ୍କୁ ଥାନାରୁ ବେଲ କରିଦେବ କହି ୫ ହଜାର ଟଙ୍କା ନେଇଥିବା କହିବାରେ ପୋଲିସ ପଦ୍ମାବତୀଙ୍କୁ ଥାନାରୁ ବାହାର କରିଦେଇ ନୃସିଂହଙ୍କୁ ଭିତରେ ରଖି ମାଡ଼ ମାରିଥିଲା। ଫଳରେ ସେ ଚେତା ହରାଇଥିଲେ। ପୋଲିସ ତାଙ୍କୁ ଚିକିତ୍ସା ନିମନ୍ତେ ପ୍ରଥମେ ବଳଙ୍ଗା ପରେ ଅବସ୍ଥା ସଂକଟାପନ୍ନ ହେବାରୁ ସାକ୍ଷୀଗୋପାଳ ଡାକ୍ତରଖାନା ନେଇଥିଲା। ରାତି ୨ଟାରେ ଚେତା ଫେରିବା ପରେ ବର୍ତ୍ତମାନ ଠିକ୍‌ ଭାବେ କଥା କହିପାରୁନାହାନ୍ତି ବୋଲି ପଦ୍ମାବତୀ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି।
ସମ୍ପର୍କରେ ଥାନାର ଏସ୍‌ଆଇ କେଦାରଚନ୍ଦ୍ର ଦୋରା କୁହନ୍ତି, ନୃସିଂହଙ୍କୁ ମାଡ଼ ମାରିବା କଥା ସମ୍ପୂର୍ଣ୍ଣ ଭିତ୍ତିହୀନ। ନୃସିଂହ ଓ ତାଙ୍କ ଭାଇଙ୍କ ମଧ୍ୟରେ ଜାଗାବାଡିକୁ କେନ୍ଦ୍ର କରି ବିବାଦ ଲାଗିରହିଥିବା ବେଳେ ସେଦିନ ଭଦ୍ରଲୋକଙ୍କ ଉପସ୍ଥିତିରେ ଥାନାରେ ଉଭୟ ପକ୍ଷ ମଧ୍ୟରେ ସମାଧାନ ହୋଇ ଉଭୟ ଥାନାରେ ସମାଧାନ ପତ୍ର ଦାଖଲ କରିଥିଲେ। ହଠାତ୍‌ ନୃସିଂହ ତାଙ୍କ ଭାଇଙ୍କୁ ଥାନାରେ ଗାଳି କରିବା ସହ ପୂର୍ବରୁ କୁଆଡ଼େ ତାଙ୍କ ନାମରେ ମିଛ କେସ କରାଯାଇଥିଲା ଓ ଏଥିପାଇଁ ଜଣେ ମହିଳା ପୋଲିସଙ୍କୁ ୫ ହଜାର ଟଙ୍କା ଲାଞ୍ଚ ଦେଇ ବେଲ ହୋଇଥିବା କହି ଉପସ୍ଥିତ ପୋଲିସ କର୍ମଚାରୀଙ୍କୁ ଗାଳି କରିଥିଲେ। ଫଳରେ ପୋଲିସ ନୃସିଂହଙ୍କୁ ଥାନାରେ ବସାଇଥିଲା। ପରେ ପଦ୍ମାବତୀ ସ୍ବାମୀଙ୍କର ଉଚ୍ଚ ରକ୍ତଚାପ, ରୋଗ ଥିବା କହି ଛାଡିଦେବାକୁ ଅନୁରୋଧ କରିଥିଲେ। ପଦ୍ମାବତୀ ଥାନାରେ ଲିଖିତ ଭାବେ ଦେବାପରେ ନୃସିଂହଙ୍କୁ ଥାନାରୁ ଛଡାଯାଇଥିଲା। ତେବେ ନୃସିଂହ ଯିବାକୁ ବାହାରିବା ସମୟରେ ପିଇବା ପାଇଁ ପାଣି ମାଗିଥିଲେ। ପୋଲିସ କର୍ମଚାରୀ ତାଙ୍କୁ ପାଣି ପିଇବାକୁ ଦେବା ସମୟରେ ହଠାତ ନୃସିଂହ ତଳେ ପଡ଼ିଯିବାରୁ ଥାନାରେ ଥିବା ଜଣେ ବ୍ୟକ୍ତି ଧରିଥିଲେ। ସେହି ସମୟରେ ନୃସିଂହଙ୍କୁ ବାତ ମାରିବା ଆରମ୍ଭ ହେବାରେ ତତ୍‌କ୍ଷଣାତ ଚିକିତ୍ସା ନିମନ୍ତେ ମେଡିକାଲକୁ ନେବା ବ୍ୟବସ୍ଥା କରିଥିବାବେଳେ ସମସ୍ତ ଦୃଶ୍ୟ ମୋବାଇଲରେ ରେକର୍ଡ କରାଯାଇଥିବା ନେଇ ଏସ୍‌ଆଇ ଦୋରା ପ୍ରକାଶ କରିଛନ୍ତି।