ବଲାଙ୍ଗିର,୨୦।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରରେ ଭାଲୁ ଆତଙ୍କ l ଗତ ସାତ ଦିନ ହେଲା ଭାଲୁ ଆତଙ୍କ ଦେଖା ଦେବା ସହ ଜଣକ ମୃତ୍ୟୁ ହୋଇଛି l ଫଳରେ ଭାଲୁକୁ ଧରିବା ପାଇଁ ଲାଗିପଡିଛନ୍ତି ବନ ବିଭାଗ l ବଲାଙ୍ଗୀରରୁ ଆରଆରଟି ଟିମ, ସ୍ଥାନୀୟ ବନ କର୍ମଚାରୀ ଓ ଡ୍ରୋନ ସାହାଯ୍ୟରେ ଭାଲୁର ଗତିବିଧିକୁ ଦେଖୁଛନ୍ତି l
ଗତକାଲି କଣ୍ଟାବାଞ୍ଜି ସହରର ଶିଶୁ ପାର୍କ ନିକଟରେ ଭାଲୁ ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଥିଲା l ମୃତ ବ୍ୟକ୍ତି ଜଣକ ହେଲେ କଣ୍ଟାବାଞ୍ଜି ଥାନା ଡୁମେରଚୁଆଁ ଗାଁର ସୁରେନ୍ଦ୍ର ମାଝୀ l ସାଇକେଲ ମରାମତି କରିବା ପାଇଁ କଣ୍ଟାବାଞ୍ଜି ସହରକୁ ଆସିଥିଲେ l ଅନ୍ୟାନ୍ୟ କାମ ସରିଲା ପରେ ରାତି ୧୧ଟାରେ ଘରକୁ ଫେରୁଥିବା ବେଳେ ଆକ୍ରମଣ କରିଥିଲା ଭାଲୁ l ମୁହଁରେ କ୍ଷତ ରହିଥିବାବେଳେ ପ୍ରବଳ ରକ୍ତ ବାହାରିଥିଲା ଓ ତାଙ୍କର ମୃତ୍ୟୁ ହୋଇଥିଲା l ଗତ ୭ରୁ ଅଧିକ ଦିନ ହେଲା ଭାଲୁ ଆତଙ୍କ ଦେଖା ଦେଇଥିବା ବେଳେ ଲୋକେ ଆତଙ୍କିତ ହେଉଥିବା ଜଣାପଡିଛି l ପାର୍ୱଣ ସମୟରେ ଏଭଳି ଭାଲୁ ସହରକୁ ଆସିଥିବାରୁ ଲୋକେ ଭୟଭୀତ ହେଉଥିବା ଦେଖିବାକୁ ମିଳିଛି l ଭାଲୁକୁ ଧରିବା ପାଇଁ ବନ ବିଭାଗ ପକ୍ଷରୁ ଜୋରସୋରରେ ଉଦ୍ୟମ କରାଯାଉଛି l ଭାଲୁକୁ ତୁରନ୍ତ ଧରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି l