ଝରିଗାଁ, ୧୨/୯ (କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଏକମ୍ବା ଗ୍ରାମରେ ଭାଲୁ ଆତଙ୍କ ଦେଖାଦେଇଛି। ଶନିବାର ସକାଳୁ ଏକମ୍ବା ଗ୍ରାମସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ର ନିକଟରେ ଗୋଟିଏ ମାଈ ଭାଲୁ ଓ ଗୋଟିଏ ଛୁଆ ଭାଲୁକୁ କିଛି ଲୋକ ଦେଖିଥିଲେ।
ଗ୍ରାମ ଭିତରକୁ ଭାଲୁ ପଶିଥିବା ଖବର ପ୍ରଚାର ହେବା ପରେ ଗ୍ରାମବାସୀ ଭୟଭୀତ ହୋଇ ଝରିଗାଁ ବନ ବିଭାଗକୁ ସୂଚନା ଦେଇଥିଲେ। ଖବର ପାଇ ଝରିଗାଁ ବନ ବିଭାଗ ପକ୍ଷରୁ ଭାରପ୍ରାପ୍ତ ରେଞ୍ଜର ସୁଶାନ୍ତ କୁମାର ସିଂ, ଫରେଷ୍ଟ ଗାର୍ଡ ସୁଶାନ୍ତ ମାଝୀ, ଧନପୁର ବିଟ୍ ଫରେଷ୍ଟ ଗାର୍ଡ ସରୋଜିନୀ ହେମ୍ରମ, ଭାଗ୍ୟଶ୍ରୀ ମଲ୍ଲିକଙ୍କ ସମେତ ପାରା ଓ ୱାଇଲ୍ଡ ଲାଇଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ।
ବନ ବିଭାଗ କର୍ମଚାରୀମାନେ ସ୍ଥାନୀୟ ଲୋକଙ୍କୁ ଭିଡ଼ ନ କରିବା ପାଇଁ ସଚେତନ କରିବା ସହ ଭାଲୁ ଦୁଇଟିର ଗତିବିଧି ଉପରେ କଡ଼ା ନଜର ରଖିଛନ୍ତି। ବର୍ତ୍ତମାନ ଭାଲୁ ଦୁଇଟି ଏକମ୍ବା ଗ୍ରାମକୁ ଲାଗି ରହିଥିବା କାଜୁବାଡ଼ ଓ ନୀଳଗିରି ଜଙ୍ଗଲ ଭିତରକୁ ଚାଲିଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।
ତେବେ ଏକମ୍ବା ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଥିବାବେଳେ ଝରିଗାଁ ବନ ବିଭାଗ ପକ୍ଷରୁ ରାତ୍ର ପାଟ୍ରୋଲିଂ ଜାରି ରହିବ ବୋଲି ରେଞ୍ଜର ସିଂ ପ୍ରକାଶ କରିଛନ୍ତି। ଏଥିସହ ଲୋକମାନେ ଭୟଭୀତ ନ ହେବା ଏବଂ ଭାଲୁ ନିକଟକୁ ନ ଯିବା ପାଇଁ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନ କରାଯାଉଛି।