କୋରାପୁଟ,୨୪ା୧(ଅମିତାଭ ବେହେରା): କୋରାପୁଟର ବୋରିଗୁମ୍ମା ବ୍ଲକ ପୋଡ଼ାପଦର ଗାଁରେ ତିନୋଟି ଭାଲୁ ବେଫିକର ଚଲାବୁଲା କରିବା ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ପୋଡ଼ାପଦର ମୁଖ୍ୟ ରାସ୍ତା ଉପରେ ନିର୍ଭୟରେ ୩ଟି ଭାଲୁ ବୁଲୁଛନ୍ତି। ଦିନରେ ନିକଟସ୍ଥ ଜଙ୍ଗଲରେ ରହି ସନ୍ଧ୍ୟା ହେଲେ ଗାଁ ମୁହାଁ ହେଉଛନ୍ତି ତିନି ଟିକିଆ ଭାଲୁ ପୋଲ। ଜଙ୍ଗଲରୁ ଆବଶ୍ୟକ ମୁତାବକ ଖାଦ୍ୟ ନପାଇବା ଯୋଗୁ ସେମାନେ ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହେଉଛନ୍ତି। କିଛି ଦିନ ପୂର୍ବରୁ ବିସିଂପୁର ଅଞ୍ଚଳରେ ଭାଲୁ ଆତଙ୍କ ଦେଖାଦେଇଥିଲା। ଭାଲୁ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ପୁଣି ଭାଲୁଗୁଡ଼ିକ ପୋଡ଼ାପଦର ମୁଖ୍ୟ ରାସ୍ତା ଏବଂ ମନ୍ଦିର ନିକଟରେ ବୁଲୁଥିବାରୁ ଲୋକେ ସଞ୍ଜ ହେଲେ ଘରୁ ବାହାରକୁ ଯିବା ପାଇଁ ଭୟ କରୁଛନ୍ତି। ବନ ବିଭାଗ ଏ ଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

