କୋକସରା,୨୦।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଜଙ୍ଗଲକ୍ଷୟ ହେବା ଯୋଗୁ ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହେଉଛନ୍ତି ବନ୍ୟଜନ୍ତୁ। ଏହି ପରିପ୍ରେକ୍ଷୀରେ ଏକ ଭାଲୁ କୋକସରା ଫରେଷ୍ଟ ସେକ୍ସନ ଚିକିଲି ଗ୍ରାମରେ ଶନିବାର ପଶି ଆତଙ୍କ ଖେଳାଇଛି।
ଭାଲୁଟି ସକାଳୁ ସକାଳୁ ଗାଁ ଭିତରକୁ ପଶି ଆସିଥିଲା। ଗାଁ ଦାଣ୍ଡରେ ଭାଲୁ ଏଣେ ତେଣେ ବୁଲୁଥିବା ଦେଖି ଲୋକେ ଭୟଭିତ ହୋଇପଡିଥିଲେ। ଏପରି କି ଲୋକେ ଜୀବନ ବିକଳରେ ଛାତ ଉପରକୁ ଚଢ଼ିଯାଇଥିଲେ।
ଗ୍ରାମବାସୀଙ୍କଠାରୁ ଖବର ପାଇ କୋକସରା ବନ ବିଭାଗର ଏକ ଟିମ୍ ସହ ପୋଲିସ କର୍ମଚାରୀ ଗାଁ ପହଞ୍ଚି ଭାଲୁର ଗତିବିଧି ଉପରେ ନଜର ରଖିବା ସହ ସ୍ଥାନୀୟ ଲୋକଙ୍କୁ ସଚେତନ କରାଇଥିଲେ
ମିଳିଥିବା ସୂଚନା ମୁତାବକ, ନିକଟସ୍ଥ ପାହାଡ଼ରୁ ଖାଦ୍ୟ ସନ୍ଧାନରେ ଭାଲୁଟି ଗାଁ ଭିତରକୁ ଚାଲିଆସିଥିଲା। ତେବେ ବନ ବିଭାଗ ଏବଂ ସ୍ଥାନୀୟ ଲୋକଙ୍କ ଅକ୍ଳାନ୍ତ ପରିଶ୍ରମ ପରେ ଭାଲୁକୁ ସୁରକ୍ଷିତ ଭାବେ ଜଙ୍ଗଲକୁ ଘଉଡ଼ାଇ ଦିଆଯାଇଥିଲା। ତେବେ ଭାଲୁଟି ଜଙ୍ଗଲକୁ ଫେରି ଯାଇଥିଲେ ସୁଦ୍ଧା, ପୁଣିଥରେ ଗାଁକୁ ଫେରିବା ଆଶଙ୍କାରେ ସ୍ଥାନୀୟ ଲୋକେ ଏବେ ବି ଆତଙ୍କିତ ଅବସ୍ଥାରେ ରହିଛନ୍ତି।