ନବରଙ୍ଗପୁର,୧।୯(ସଦାଶିବ ପ୍ରହରାଜ): ଭାଲୁ ଖୋଜୁଛି ଖାଦ୍ୟ ଠିକଣା । ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲ ଛାଡି ଜନ ବସତି ମୁହାଁ ଭାଲୁ । ନବରଙ୍ଗପୁର ଜିଲା ତେନ୍ତୁଳୀଖୁଣ୍ଟି ବ୍ଲକ୍ କୁକୁଡ଼ାବାଇ ଗାଁରୁ ସାମ୍ନାକୁ ଆସିଛି ଏଭଳି ଘଟଣା । ଖାଦ୍ୟ ଅନ୍ୱେଷଣରେ ଆସି ଏକ ଭାଲୁ ମନ୍ଦିର ଭିତରକୁ ପଶିଯାଇଥିଲା । ଗାଁର ବ୍ରାହ୍ମଣ ସାହିରେ ଥିବା ରାଧାକୃଷ୍ଣ ମନ୍ଦିର ଭିତରେ ଓ ପରିସରରେ ଏକ ଭାଲୁକୁ ଦେଖିଥିଲେ ସ୍ଥାନୀୟ ଲୋକେ । ଭିଡିଓ କରିଥିବା ବେଳେ ଏହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଭାଲୁଟି ମନ୍ଦିର ଭିତରକୁ ପଶିବା ପରେ ସେଠାରେ ରଖାଯାଇଥିବା ଘିଅ ଡବା ନେଇ ବାହାରକୁ ଚାଲିଯାଇଥିଲା । ଭାଲୁକୁ ଦେଖିବା ପରେ ମନ୍ଦିର ନିକଟରେ ଥିବା ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । ବିଶେଷକରି ରାତି ସମୟରେ ଭାଲୁ ଗାଁ ଭିତରକୁ ପଶିବା ନେଇ ଚିନ୍ତା ପ୍ରକାଶ କରିଛନ୍ତି ଗ୍ରାମବାସୀ ।
ଜଙ୍ଗଲ ଅଞ୍ଚଳରେ ଖାଦ୍ୟ ଉପଲବ୍ଧତା କମିବା, ଜଙ୍ଗଲ କ୍ଷୟ, ପୋଡୁ ଚାଷ ଏବଂ ଜଙ୍ଗଲରେ ନିଆଁ ଭଳି ବିଭିନ୍ନ କାରଣରୁ ବନ୍ୟଜନ୍ତୁ ଖାଦ୍ୟ ଅନ୍ୱେଷଣରେ ଜନବସତି ନିକଟକୁ ଆସୁଥିବା ଜଣାପଡୁଛି । ଏଭଳି ପରିସ୍ଥିତିରେ ଭାଲୁ ଓ ମଣିଷ ମଧ୍ୟରେ ସଂଘର୍ଷର ଆଶଙ୍କା ରହିଥାଏ । ତେଣୁ ଭାଲୁ ଗାଁ ନିକଟରେ ଦେଖାଗଲେ ଲୋକେ ତା’ ନିକଟକୁ ନଯାଇ ସୁରକ୍ଷିତ ଦୂରତାରେ ରହିବା ସହ ବନ ବିଭାଗକୁ ସୂଚନା ଦେବା ଆବଶ୍ୟକ ରହିଛି ।
ଅନ୍ୟପଟେ କୁକୁଡ଼ାବାଇ ଅଞ୍ଚଳରେ ଭାଲୁର ଚଳପ୍ରଚଳକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ସତର୍କତା ବଢ଼ିଛି । ବନ୍ୟଜନ୍ତୁ ଓ ମଣିଷ ମଧ୍ୟରେ ସଂଘର୍ଷ ରୋକିବା ପାଇଁ ଜଙ୍ଗଲ ସୁରକ୍ଷା ସହ ବନ ବିଭାଗର ନିରୀକ୍ଷଣ ଉପରେ ଗୁରୁତ୍ୱ ଦେବାକୁ ଦାବି ହେଉଛି ।