ପ୍ରତି ମୁହୂର୍ତ୍ତ ପାଇଁ ପ୍ରସ୍ତୁତ ରୁହ

ବେଜିଂ, ୬।୧: ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଦେଶର ସୈନ୍ୟବାହିନୀକୁ ପ୍ରତ୍ୟେକ ମୁହୂର୍ତ୍ତରେ କାର୍ଯ୍ୟାଷ୍ଠାନ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସବୁ ସମୟରେ ପ୍ରସ୍ତୁତିକୁ ସୁନିଶ୍ଚିତ କରିବାକୁ ହେଲେ ପ୍ରକୃତ ଯୁଦ୍ଧ ସ୍ଥିତି ଭଳି ପ୍ରଶିକ୍ଷଣ ବଢ଼ାଇବାକୁ ସେ ସଶସ୍ତ୍ର ବଳକୁ ଆହ୍ବାନ ଦେଇଛନ୍ତି।
ସୈନ୍ୟମାନଙ୍କ ସାମର୍ଥ୍ୟ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବଢ଼ାଇବାକୁ ଫ୍ରଣ୍ଟଲାଇନ ଫ୍ରିକ୍ସନ୍‌ର ବ୍ୟବହାର ଜରୁରୀ। ଏଥିସହିତ ଟେକ୍‌ନୋଲୋଜି ଉପରେ ଅଧିକ ଗୁରୁତ୍ୱ ଦେବାକୁ ଜିନ୍‌ପିଙ୍ଗ କହିଛନ୍ତି। କେନ୍ଦ୍ରୀୟ ସାମରିକ ଆୟୋଗ (ସିଏମ୍‌ସି)କୁ ୨୦୨୧ରେ ଏହା ଜିନ୍‌ପିଙ୍ଗ୍‌ଙ୍କ ପ୍ରଥମ ନିର୍ଦ୍ଦେଶନାମା।
ଗତବର୍ଷ ଜୁନ୍‌ରେ ଗଲ୍‌ଓ୍ବାନ ଉପତ୍ୟକାରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଏଥିରେ ଭାରତର ୨୦ ଯବାନ ଶହୀଦ ହୋଇଥିବାବେଳେ ଚାଇନାର କେତେ ମରିଥିଲେ ତାହା ସେ ପ୍ରକାଶ କରି ନ ଥିଲା। ଅନେକ ଚାଇନା ସୈନ୍ୟ ଭାରତୀୟ ଅଞ୍ଚଳ ମଧ୍ୟରେ ଅନୁପ୍ରବେଶ କରିବାରୁ ଏଭଳି ସଂଘର୍ଷ ହୋଥିଲା। ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ ୨୦୧୨ରେ ସିଏମ୍‌ସି ମୁଖ୍ୟ ହୋଇଥିଲେ। ଚାଇନା ସୈନ୍ୟବାହିନୀକୁ ଆଧୁନିକୀକରଣ କରିବା ଲାଗି ସେ ୨୦୧୫ରେ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିଲେ। ଏହି ଆଧୁନିକୀକରଣ କାର୍ଯ୍ୟ ୨୦୨୦ରେ ଶେଷ ହେବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା। ସେହିପରି ଦକ୍ଷିଣ ଚାଇନା ସାଗରରେ ଆମେରିକାର ଉପସ୍ଥିତିକୁ ରୋକିବା ଲାଗି ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ତାଇଓ୍ବାନ୍‌କୁ ଟାର୍ଗେଟ କରି ସମରାଭ୍ୟାସ ବଢ଼ାଇଥିଲା।

Share