ମାନବିକତା ରହୁ

ଛନ୍ଦା ମିଶ୍ର

କୁହାଯାଏ, ଯେଉଁ ଦେଶରେ ଶିକ୍ଷା ଓ ସ୍ବାସ୍ଥ୍ୟ ଯେତେ ଉନ୍ନତ, ସେ ଦେଶ ସେତେ ସମୃଦ୍ଧ। ଦୁଇଟି ଯାକ ଆମ ଜୀବନରେ ଯେ ଏକାନ୍ତ ଅପରିହାର୍ଯ୍ୟ ଏଥିରେ ଦ୍ୱିମତ ନାହଁି। ତେଣୁ ଏଥିରେ ସମ୍ପୃକ୍ତ ଶିକ୍ଷକ ଓ ଡାକ୍ତରଙ୍କୁ ଆମେ ଈଶ୍ୱରର ମାନ୍ୟତା ପ୍ରଦାନ କରୁ। ତାଙ୍କ ପ୍ରତିଭା ଓ ସମାଜ ସଂସ୍କାରର ମନୋଭାବକୁ ସମ୍ମାନ ଦେଉ। ମାତ୍ର କିଛି ବର୍ଷ ହେଲାଣି, ଶିକ୍ଷା ଓ ସ୍ବାସ୍ଥ୍ୟକୁ ନେଇ ରୀତିମତ ବେପାର ଆରମ୍ଭ ହୋଇଯାଇଛି। ବିଶେଷ କରି ସରକାରୀ ବିଦ୍ୟାଳୟ ଓ ହାସ୍‌ପାତାଳର ଦୁରବସ୍ଥା ପାଇଁ ମୁଣ୍ଡ ଟେକି ଥିବା ବେସରକାରୀ ଅନୁଷ୍ଠାନମାନେ ନିଜକୁ ଗୋଟିଏ ଗୋଟିଏ ଲାଭଜନକ ସଂସ୍ଥାରେ ପରିଣତ କରିବାକୁ କରିଛନ୍ତି ପ୍ରତିଜ୍ଞା। ଭାତ ହାଣ୍ଡିରୁ ଗୋଟିଏ ଚିପିଲା ପରି ଦୁଇଟି ଉଦାହରଣ ହେବ ଯଥେଷ୍ଟ।
ଏଇ କିଛିଦିନ ତଳେ ନିଜକୁ ବିଶ୍ୱ ସ୍ତରୀୟ ତଥା ପ୍ରତିଟି ଛାତ୍ରଙ୍କୁ, ପଢ଼ା ପରେ ରୋଜଗାରର ସୁଯୋଗ ଦେବା ପାଇଁ ପ୍ରତିଶ୍ରୁତି ଦେବାର ବାହୁସ୍ଫୋଟ ମାରୁଥିବା ସଂସ୍ଥାରେ ପରିଚିତଙ୍କ ପୁଅଟି ପାଠପଢ଼ି ଚାକିରି ପାଇଲା। କିନ୍ତୁ ଛ ମାସ ପରେ ଚାକିରିରୁ ବିଦା ହୋଇ ପିଲାଟି ଘରକୁ ଆସିଲା ପରେ ଜଣାପଡ଼ିଲା, କଲେଜର କାରସାଦି। କଲେଜ କର୍ତ୍ତୃପକ୍ଷ ପାଠପଢ଼ା ବାବଦରେ ନେଇଥିବା ବିପୁଳ ପରିମାଣର ଅର୍ଥ ମଧ୍ୟରେ ନେଇଯାଇଥିଲେ ପିଲା ପାଇଁ ଛ ମାସର ଦରମା। ଆଶ୍ଚର୍ଯ୍ୟର କଥା, ପିଲା ପାଠ ପଢୁ ବା ନ ପଢ଼ୁ, ପିଲା ସ୍ବାବଲମ୍ବୀ ହେଉ ବା ନ ହେଉ ସେଥିପାଇଁ ଅନୁଷ୍ଠାନର କୌଣସି କର୍ତ୍ତବ୍ୟବୋଧ ନାହିଁ! ଏବେ ଦେଖିବା ହାସ୍‌ପାତାଳର କଥା। ସମ୍ପର୍କୀୟ ଭାଇଙ୍କ ସ୍କୁଟରରେ କୁକୁରଟିଏ ପଶି ଯିବାରୁ ସେ ଦୁର୍ଘଟଣାର ସମ୍ମୁଖୀନ ହେଲେ। ସେ ଚିକିତ୍ସା ପାଇଁ ବେସରକାରୀ ହସ୍ପିଟାଲକୁ ଗଲେ। ସେଠି ଡାକ୍ତର କେତେଗୁଡ଼ିଏ ଟେଷ୍ଟ କରାଇବା ସହ, ତାଙ୍କ କ୍ଷତ ସଫା କରି ହାତ ଭାଙ୍ଗି ଥିବାରୁ ପ୍ଲାଷ୍ଟର କରିଦେଲେ। ଔଷଧ ଖାଇବା ସତ୍ତ୍ୱେ, ଅତି ପ୍ରବଳ ଯନ୍ତ୍ରଣା ହେଉ ଥିବାରୁ ଭାଇ ଅନ୍ୟ ଜଣେ ପରିଚିତ ଡାକ୍ତରଙ୍କୁ ଦେଖାଇଲା ପରେ ସେ କହିଲେ, ‘ଜଣେ ଡାକ୍ତର ଏପରି ଅଜ୍ଞ କିପରି ହୋଇପାରେ, କ୍ଷତ ଉପରେ କେହି କ’ଣ ପ୍ଲାଷ୍ଟର ଚଢ଼ାଇ ପାରେ!’ ସଙ୍ଗେ ସଙ୍ଗେ ପ୍ଲାଷ୍ଟର କଟା ହେଲା। କ୍ଷତଟି ପଚି ସାରିଥିଲା। ତାକୁ ପୁଣି ଥରେ ଡ୍ରେସିଂ କରି, ହାତଟିକୁ କାନ୍ଧର ସାହାରା ଦେଇ ଝୁଲାଇ ରଖାଗଲା। କିଛି ମାସ ବିତି ଗଲାଣି, କ୍ଷତ ଶୁଖି ଗଲାଣି, ମାତ୍ର ହାତଟି ଏପର୍ଯ୍ୟନ୍ତ ସିଧା ହୋଇପାରୁନି। ଅନେକ ବେସରକାରୀ ଚିକିତ୍ସାଳୟର ଅବସ୍ଥା ଏହିପରି। ରୋଗୀ ଟିଏ ପହଞ୍ଚିଲା ମାତ୍ରେ ତା’ର ଆବଶ୍ୟକ ଥାଉ ବା ନ ଥାଉ ଅନେକଗୁଡ଼ିଏ ଦାମୀ ପରୀକ୍ଷା କରାଇବା ସହ ରୋଗୀ ଓ ତା’ର ପରିବାରବର୍ଗଙ୍କୁ ଏପରି ଡରାଇ ଦିଆଯାଉଛି ଯେ, ତାଙ୍କୁ ମନେହେଉଛି, ଡାକ୍ତରଖାନାରୁ ବାହାରିଲା ମାତ୍ରେ ମୃତ୍ୟୁ ସୁନିଶ୍ଚିତ। ତେଣୁ ଦ୍ୱିତୀୟ ଈଶ୍ୱରଙ୍କ ହାତରେ ନିଜକୁ ସମର୍ପି ଦେଇ ହେଉଛି ସର୍ବସ୍ବାନ୍ତ।
ଏହି ଦୁଇଟି ଯାକ ବିଭାଗକୁ ସମାଜରେ ବେଶ୍‌ ମର୍ଯ୍ୟାଦାଜନକ ସ୍ଥାନ ମିଳିଥିଲେ ବି ସେମାନେ ତାହାକୁ ବ୍ୟବସାୟରେ ପରିଣତ କରି, କେବଳ ଲାଭ ସାଉଁଟିବାର ପଣରେ ନିଜକୁ ମାନବରୁ ମେଶିନରେ ବଦଳେଇ ସାରିଲେଣି। ମାନବିକତାଠାରୁ ଏମାନେ ଏବେ ଢେର୍‌ ଦୂରରେ। କାରଣ ଏହି ଅନୁଷ୍ଠାନଗୁଡ଼ିକର ମାଲିକମାନଙ୍କର ଶିକ୍ଷା ଓ ସ୍ବାସ୍ଥ୍ୟ ସହ କୌଣସି ସମ୍ପର୍କ ନାହିଁ, ବରଂ ନିଜର ଅନ୍ୟ ବ୍ୟବସାୟର ଲାଭାଂଶକୁ ସେମାନେ ଏହି କ୍ଷେତ୍ରରେ ଖଟାଇ ନିଜ ପକେଟ ପୂରାଇବାରେ ବିଶ୍ବାସ ରଖନ୍ତି।
ପୁଣି ପୁଅ ମନରେ ସେବା ମନୋଭାବ ନ ଥିଲେ ବି, ପିତାମାତାଙ୍କ ସପ୍ନ ପୂରଣ ପାଇଁ ତାକୁ, ବେସରକାରୀ ଅନୁଷ୍ଠାନରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଡାକ୍ତର ହେବାକୁ ପଡୁଚି। ଫଳ ଯାହା ହେବା କଥା! ସେ ଡାକ୍ତର ହେବା ପୂର୍ବରୁ, କେଉଁ କେଉଁ ଉପାୟରେ ପିତା ମାତାଙ୍କ ଖର୍ଚ୍ଚର ଭରଣା କରିବ ତା’ର ଚିନ୍ତା ତାକୁ ଘାରୁଛି। ତେଣୁ ସେବା ମନୋବୃତ୍ତି ତ ଦୂରର କଥା, ଡାକ୍ତରୀ ଜ୍ଞାନ ଥିବା ଡାକ୍ତରଟିଏ ମିଳିବା କଷ୍ଟକର ହୋଇ ପଡୁଚି । ଏବେ ସରକାର ଏସବୁ କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ପାଇଁ ଚିନ୍ତା କଲେଣି। କିନ୍ତୁ ସ୍ବାସ୍ଥ୍ୟ ପରି ସମ୍ବେଦନଶୀଳ କ୍ଷେତ୍ରରେ ମାପକାଠି, ଜାତି ନା ଯୋଗ୍ୟତା, ତାହା ମଧ୍ୟ ଗମ୍ଭୀର ଭାବେ ବିଚାର୍ଯ୍ୟର ବିଷୟ।
ଯଦି ସରକାରୀ ଅନୁଷ୍ଠାନରେ ମାଗଣା ଶିକ୍ଷା ଓ ସ୍ବାସ୍ଥ୍ୟର ବନ୍ଦୋବସ୍ତ ହୋଇଛି, ତା’ହେଲେ ପ୍ରତିଦିନ ନୂଆ ବେସରକାରୀ ଶିକ୍ଷାନୁଷ୍ଠାନ ଓ ଚିକିତ୍ସାଳୟ ମୁଣ୍ଡ ଟେକୁଛି କିପରି? ହାତୀ ଯିବା ପାଇଁ ରାସ୍ତା କରି ପିମ୍ପୁଡ଼ି ପାଇଁ ସମସ୍ତ ବାଟ ବନ୍ଦ କରି ଦିଆଯିବାର ମାନେ କ’ଣ ? ଶିକ୍ଷାଦାନ ଓ ସ୍ବାସ୍ଥ୍ୟସେବା, ଉଭୟ ମଣିଷ ପଣିଆର ନିଦର୍ଶନ ବିନା ନିରର୍ଥକ ମନେହୁଏ ନାହିଁ କି?ଯଦି ସରକାର ନିୟମଟିଏ କରନ୍ତେ ଯେ, ସରକାରୀ ବାବୁମାନେ ନିଜର ସମସ୍ତ ଆବଶ୍ୟକତା ପାଇଁ ସରକାରୀ ବିଦ୍ୟାଳୟ ଓ ଚିକିତ୍ସାଳୟ ଛାଡ଼ି, ବେସରକାରୀ ଅନୁଷ୍ଠାନକୁ ଯାଇପାରିବେ ନାହିଁ, ତେବେ ସମସ୍ୟାଟିର ସରଳ ସମାଧାନ ହୋଇପାରନ୍ତା। ସରକାରୀ ଅନୁଷ୍ଠାନଗୁଡ଼ିକ ନିଜ ପୂର୍ବ ସ୍ଥିତି ଫେରିପାଆନ୍ତେ ଓ ବେସରକାରୀମାନଙ୍କ ଉପରେ ଅଙ୍କୁଶ ଲାଗନ୍ତା। କିନ୍ତୁ ତା’ ମନେହୁଏ ସ୍ବପ୍ନ ପ୍ରାୟ..।
ମୋ:୯୪୩୭୪୫୩୬୧୦


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri