ପବ୍ଲିକ୍‌ ଓ୍ବାଇଫାଇ ବ୍ୟବହାର କରୁଥିଲେ ରୁହନ୍ତୁ ସତର୍କ; ଜାଣିରଖନ୍ତୁ…

ବର୍ତ୍ତମାନ ବିନା ଇଣ୍ଟରନେଟ୍‌ରେ ଅଧିକାଂଶ କାମ ଯେମିତି ଅସମ୍ଭବ ମନେହେଉଛି। ଯେଉଁଥିପାଇଁ କେବଳ ମୋବାଇଲ୍‌ରେ ଇଣ୍ଟରନେଟ୍‌ ନୁହେଁ, ଅନେକେ ଓ୍ବାଇଫାଇ ମଧ୍ୟ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ବିଶେଷକରି ରେଲ୍‌ଓ୍ବେ ଷ୍ଟେଶନ୍‌, କେତେକ ଶପିଂ ମଲ୍‌, ହୋଟେଲ୍‌, କଲେଜ କ୍ୟାମ୍ପସ୍‌ ଆଦିରେ ମାଗଣାରେ ମିଳୁଥିବା ଓ୍ବାଇଫାଇ ବ୍ୟବହାର କରିବାକୁ ଗହଳି ଜମାଉଛନ୍ତି। ହେଲେ ଏହାକୁ ବ୍ୟବହାର କରିବା ବେଳେ ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ଦିଗ ପ୍ରତି ସତର୍କ ରହିବା ଆବଶ୍ୟକ। ଜାଣିରଖନ୍ତୁ ସେ ସମ୍ପର୍କରେ…

* ପ୍ରଥମ କଥା ହେଉଛି ଯଥାସମ୍ଭବ ପବ୍ଲିକ୍‌ ଓ୍ବାଇଫାଇ ବ୍ୟବହାରଠୁ ଦୂରେଇ ରୁହନ୍ତୁ। ଅଧିକ ଇଣ୍ଟରନେଟ୍‌ ଆବଶ୍ୟକ ହେଉଥିଲେ ଘରେ ଓ୍ବାଇଫାଇ କନେକ୍‌ସନ୍‌ ନେଇପାରିବେ। କାରଣ ପବ୍ଲିକ୍‌ ଓ୍ବାଇଫାଇରେ ଡାଟା ହ୍ୟାକ୍‌ ହେବାର ଆଶଙ୍କା ବେଶି।

* ବାହାରେ ଓ୍ବାଇଫାଇ ସହ କନେକ୍ଟ କରୁଥିଲେ ଓ୍ବେବ୍‌ସାଇଟ୍‌ ଅନ୍‌ କରିବା ପରେ ଯଦି ତାହା ‘http’ରୁ ଆରମ୍ଭ ହୋଇଥାଏ, ତେବେ ତାହା ସୁରକ୍ଷିତ ନୁହେଁ ଏବଂ ସେଥିରେ ସାଇବର ଆଟାକ୍‌ ହେବାର ଆଶଙ୍କା ରହିଛି। କାରଣ ଏନ୍‌କ୍ରିପ୍ଟେଡ୍‌ ଏବଂ ସେଫ୍‌ ସାଇଟ୍‌ଗୁଡ଼ିକ ‘https’ରୁ ଆରମ୍ଭ ହୋଇଥାଏ। ପବ୍ଲିକ୍‌ ଓ୍ବାଇଫାଇରେ ଏହି ସାମାନ୍ୟ କଥାକୁ ଅଣଦେଖା କଲେ ଆପଣଙ୍କୁ ଭାରି ମୂଲ୍ୟ ଦେବାକୁ ପଡ଼ିପାରେ।

* ଓ୍ବାଇଫାଇ କନେକ୍‌ସନ୍‌କୁ ଆଦୌ ଅଟୋମେଟିକ୍‌ କରି ରଖନ୍ତୁ ନାହିଁ।

* କୌଣସି ନେଟ୍‌ଓ୍ବର୍କ ସହିତ କନେକ୍ଟ କଲେ ଯଦି ତାହା ସୁରକ୍ଷିତ ହୋଇ ନ ଥାଏ, ଗୁଗୁଲ୍‌କ୍ରୋମ୍‌ ପକ୍ଷରୁ ଆଲର୍ଟ ନୋଟିଫିକେଶନ୍‌ ଆସିଯାଏ, ଯାହାକୁ ଅନେକେ ଅଣଦେଖା କରି କାଟିଦିଅନ୍ତି। ହେଲେ ଆପଣ ଜାଣନ୍ତିକି, ମୋବାଇଲ୍‌ରେ ଥିବା ଅନେକ ଆପ୍‌ରୁ ପର୍ସନାଲ୍‌ ଡାଟା ଚୋରି ହେବାର ନଜିର ରହିଛି। ତେଣୁ ଗୁଗୁଲ୍‌ ପକ୍ଷରୁ ଆସୁଥିବା ନୋଟିଫିକେଶନ୍‌ ଭଲ ଭାବେ ପଢ଼ିନିଅନ୍ତୁ।

* ପବ୍ଲିକ୍‌ ଓ୍ବାଇଫାଇରେ ବ୍ୟାଙ୍କିଙ୍ଗ୍‌ ଆପ୍‌ ବ୍ୟବହାର କରିବା ନିରାପଦ ନୁହେଁ। ବିଶେଷକରି ଏହାକୁ ବ୍ୟବହାର କରିବା ବେଳେ କୌଣସି ଟ୍ରାଞ୍ଜାକ୍‌ସନ କରନ୍ତୁ ନାହିଁ। କାରଣ ଏହାଦ୍ୱାରା ଆପଣଙ୍କ ଆକାଉଣ୍ଟ ହ୍ୟାକ୍‌ କରି ଟଙ୍କା ଚୋରି କରିବା ହ୍ୟାକରଙ୍କୁ ସହଜ ହୋଇଥାଏ। ତେଣୁ ଆବଶ୍ୟକ ସ୍ଥଳେ ମୋବାଇଲ୍‌ ଡାଟା ହିଁ ବ୍ୟବହାର କରନ୍ତୁ।

* କୌଣସି ଆପ୍‌ରେ ଯଦି ପାସ୍‌ଓ୍ବାର୍ଡ ଦେବାର ଥାଏ, ତେବେ ତାହାକୁ ପବ୍ଲିକ୍‌ ଓ୍ବାଇଫାଇରେ କନେକ୍ଟ କରି ଖୋଲନ୍ତୁ ନାହିଁ। କାରଣ ଏହାଦ୍ୱାରା ତାହା ହ୍ୟାକ୍‌ ହୋଇପାରେ।

* ମୋବାଇଲ୍‌ ହେଉ କିମ୍ବା ଲାପଟପ୍‌ରେ ଏହାକୁ ବ୍ୟବହାର କଲା ବେଳେ ଶେୟାରିଂ ଅପ୍‌ସନ ଅଫ୍‌ କରିବାକୁ ଆଦୌ ଭୁଲନ୍ତୁ ନାହିଁ।