ସାବଧାନ ! ଶଯ୍ୟାରେ ବି ରହିଛନ୍ତି ରୋଗ ସୃଷ୍ଟିକାରୀ କୋଟି କୋଟି ସୂକ୍ଷ୍ମଜୀବ…

ଲଣ୍ଡନ,୧୭।୭: ଘରେ ଆମର ଶୋଇବା ଶଯ୍ୟା ମଧ୍ୟ ସୁରକ୍ଷିତ ନୁହେଁ। ଶଯ୍ୟାରେ କୋଟି କୋଟି ରୋଗସୃଷ୍ଟିକାରୀ ସୂକ୍ଷ୍ମଜୀବ ବାସ କରିଥାନ୍ତି। ତେଣୁ ଏନେଇ ସାବଧାନ ରହିବାର ଆବଶ୍ୟକତା ରହିଛି। ସତର୍କ ନ ରହିଲେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଯିବାର ଯଥେଷ୍ଟ ଆଶଙ୍କା ରହିଥାଏ। ଏସମ୍ପର୍କରେ ଲଣ୍ଡନର ଓ୍ବେଷ୍ଟମିନିଷ୍ଟର ବିଶ୍ୱବିଦ୍ୟାଳୟ ପକ୍ଷରୁ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଏ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ମେଡ଼ିକାଲ ଶଯ୍ୟା ଆଖିକୁ ସଫା ଦେଖାଯାଉଥିଲେ ମଧ୍ୟ ଏଥିରେ ଅଧିକ ସଂଖ୍ୟକ ଷ୍ଟେଫିଲୋକୋକସ୍‌ ବ୍ୟାକ୍ଟେରିଆ ରହିଥାନ୍ତି। ଏହା ଯୋଗୁ ତ୍ୱଚା ସଂକ୍ରମଣ, ନିମୋନିଆ, ପରିସ୍ରାନଳୀ ସଂକ୍ରମଣ, ଡାଇରିଆ, ମୋନିଜାଇଟିସ୍‌, ସେସ୍ପିସ୍‌ ସହିତ ଅନ୍ୟ ସ୍ବାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହୋଇଥାଏ। ସେହିପରି ଘରର ଶଯ୍ୟା ବି ସମ୍ପୂର୍ଣ୍ଣ ସୁରକ୍ଷିତ ନୁହେଁ। ପ୍ରତିଦିନ ଶୋଇବା ସମୟରେ ୫୦ କୋଟିରୁ ଅଧିକ ତ୍ୱଚା କୋଷିକା ଶରୀରରୁ ଅଲଗା ହୋଇଥାଏ। ଏସବୁ କୋଷିକା ସୂଷ୍ମଜୀବଙ୍କ ଆହାର। ଫଳରେ ତ୍ୱଚା କୋଷିକାକୁ ଖାଇବା ପାଇଁ ବିଭିନ୍ନ ପ୍ରକାରର ସୂଷ୍ମଜୀବ ଆକର୍ଷିତ ହୋଇ ଆସିଥାନ୍ତି। ସେହିପରି ଶରୀରରୁ ନିର୍ଗତ ହେଉଥିବା ଝାଳ, ପାଟିର ଲାଳ, ଖାଦ୍ୟର ସୂକ୍ଷ୍ମାତି ସୂକ୍ଷ୍ମ ଅଂଶ ଆଦି ଶଯ୍ୟାରେ ଲାଗି ରହିଥାଏ। ଏହାଯୋଗୁ ଆଲର୍ଜି ଏବଂ ଆଜ୍‌ମା ଭଳି ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଥାଏ ବୋଲି ଓ୍ବେଷ୍ଟମିନିଷ୍ଟର ବିଶ୍ୱବିଦ୍ୟାଳୟର ମେଡିକାଲ ମାଇକ୍ରୋବାୟୋଲୋଜିଷ୍ଟ ପ୍ରଫେସର ମନଲ୍‌ ମହମ୍ମଦ ସୂଚନା ଦେଇଛନ୍ତି। ତେବେ ପ୍ରତିଦିନ ଶୋଇବା ଶେଯରେ ବ୍ୟବହୃତ ହେଉଥିବା ଚାଦର, ତକିଆ ଖୋଳ ଆଦିକୁ ବାହାରେ ଖରାରେ ଶୁଖାଇଲେ ବିଭିନ୍ନ ସ୍ବାସ୍ଥ୍ୟଗତ ସଂକ୍ରମଣ ଆଶଙ୍କା କମ୍‌ ହୋଇଥାଏ।