ସାବଧାନ ! ଛୋଟପିଲା-ଯୁବବର୍ଗଙ୍କ ଉପରେ ମାଡ଼ି ଆସୁଛି ବିପଦ…

ନୂଆଦିଲ୍ଳୀ,୧୮।୪: କରୋନା ସଂକ୍ରମଣ ନେଇ ଭାରତରେ ଆତଙ୍କ ଦେଖାଦେଇଛି। କରୋନାର ଦ୍ୱିତୀୟ ଲହରରେ ଅଧିକ ସଂଖ୍ୟକ ଛୋଟ ପିଲା ଏବଂ ଯୁବବର୍ଗ ଆକ୍ରାନ୍ତ ହେବା ଯୋଗୁ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨ ମାସ ମଧ୍ୟରେ ଦେଶରେ ୧୮ ବର୍ଷରୁ କମ୍‌ ବୟସ୍କ ୮୦ ହଜାର ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଗତ କିଛି ଦିନ ତଳେ ଗୁଜରାଟର ସୁରଟରେ ଜଣେ ୧୪ ଦିନର ନବଜାତ କନ୍ୟାଙ୍କର କରୋନା ଯୋଗୁ ମୃତ୍ୟୁ ଘଟିଛି। ଫଳରେ ଦେଶରେ ଅଭିଭାବକଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି। ସେମାନେ ପିଲାଙ୍କୁ ବାହାରକୁ ଛାଡ଼ିବାକୁ ସୁରକ୍ଷିତ ମଣୁ ନାହାନ୍ତି। କେବଳ ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଛତିଶଗଡ଼, କର୍ନାଟକ ଏବଂ ଦିଲ୍ଲୀରେ କରୋନାରେ ଆକ୍ରାନ୍ତ ହୋଇଥିବା ୭୯ ହଜାର ୬୮୮ ଜଣ ଛୋଟ ପିଲା ଏବଂ ଯୁବବର୍ଗଙ୍କୁ ଚିହ୍ନଟ କରାଯାଇଛି। ମହାରାଷ୍ଟ୍ରରେ ମାର୍ଚ୍ଚରୁ ଏପ୍ରିଲ୍‌ ୪ ମଧ୍ୟରେ ୬୦ ହଜାର ୬୮୪ ଜଣ ଜଣ ଛୋଟ ପିଲା ଏବଂ ଯୁବବର୍ଗ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୯ ହଜାର ୮୮୨ ଜଣ ପାଞ୍ଚ ବର୍ଷରୁ କମ୍‌ ବୟସ୍କ ଶିଶୁ ଅଛନ୍ତି। ସେହିପରି ଛତିଶଗଡ଼ରେ ୫ ହଜାର ୯୪୦ ଜଣ ଜଣ ଛୋଟ ପିଲା ଏବଂ ଯୁବବର୍ଗଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ସେଥିମଧ୍ୟରେ ୯୨୨ ଜଣଙ୍କ ବୟସ ୫ ବର୍ଷରୁ କମ ରହିଛି। ଉତ୍ତରପ୍ରଦେଶରେ ୩ ହଜାର ୪ ଜଣ ଛୋଟ ପିଲା ଏବଂ ଯୁବବର୍ଗଙ୍କଠାରେ କରୋନା ଭୁତାଣୁ ଚିହ୍ନଟ ହୋଇଛି। ସେଥିମଧ୍ୟରେ ୪୭୧ ଜଣଙ୍କ ବୟସ ୫ ବର୍ଷରୁ କମ ଅଛି। କର୍ନାଟକରେ ୮୭୧ ଜଣ ଛୋଟ ପିଲାରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଦିଲ୍ଲୀରେ ୪ ଏପ୍ରିଲ୍‌ ସୁଦ୍ଧା ୨ ହଜାର ୭୩୩ ଜଣ ଛୋଟପିଲା ଏବଂ ଯୁବବର୍ଗଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ସେଥିମଧ୍ୟରେ ୪୪୧ ଜଣଙ୍କ ବୟସ ୫ରୁ କମ ରହିଛି। କରୋନାର ଦ୍ୱିତୀୟ ଲହରରେ ଏଭଳି ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଥିବାରୁ ସରକାର ସମସ୍ତ ସ୍କୁଲ କଲେଜ, ବିଶ୍ୱବିଦ୍ୟାଳୟ ଏବଂ କୋଚିଂ ସେଣ୍ଟର ବନ୍ଦ କରିବାକୁ ନିଷ୍ପତ୍ତ ଗ୍ରହଣ କରିଛି।

Share