ସଚେତନ ହେଲେ କର୍ମଚାରୀ, ଅଞ୍ଚଳବାସୀ

ଢେଙ୍କାନାଳ ଅଫିସ,୨୯।୩ ଢେଙ୍କାନାଳ ଜିଲା ନରେନ୍ଦ୍ରପୁରସ୍ଥିତ ଟାଟାଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ସୁରକ୍ଷା ସଚେତନତା ଅଭିଯାନ ଉଦ୍‌ଯାପିତ ହୋଇଯାଇଛି। ୫୧ତମ ଜାତୀୟ ସୁରକ୍ଷା ସପ୍ତାହ ପାଳନ ଅବସରରେ ପ୍ଲାଣ୍ଟ ପରିସରରେ ଏବଂ ପାର୍ଶ୍ୱବର୍ତ୍ତୀ ଗ୍ରାମାଞ୍ଚଳରେ ଏକମାସବ୍ୟାପୀ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସୁରକ୍ଷାକୁ ସୁଦୃଢ କରିବା, ସଡ଼କ ଦୁର୍ଘଟଣାରେ ଆହତ ସଂଖ୍ୟାକୁ କମ୍‌ କରିବା ଏବଂ କର୍ମଚାରୀ, ସେମାନଙ୍କ ପରିବାର ଓ ସ୍ଥାନୀୟ କର୍ମଚାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ଅଭିଯାନର ପ୍ରମୁଖ ଲକ୍ଷ୍ୟ ଥିଲା।
ଓଡ଼ିଶା ସରକାରଙ୍କ ଢେଙ୍କାନାଳମଣ୍ଡଳ କାରଖାନା ଏବଂ ବାଷ୍ପିତ୍ର ବିଭାଗ ସହକାରୀ ନିର୍ଦ୍ଦେଶିକା ପୁଷ୍ପମିତ୍ରା ଜେନା ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କର୍ମଚାରୀ, ଭେଣ୍ଡର, ସହଭାଗୀ କର୍ମଚାରୀ ଏବଂ ଟାଟାଷ୍ଟିଲ କର୍ମଚାରୀ ପରିବାରବର୍ଗଙ୍କ ମଧ୍ୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କୃତ କରିଥିଲେ। ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ଟାଟାଷ୍ଟିଲ ମେରାମଣ୍ଡଳୀ ସୁରକ୍ଷା ବିଭାଗ ମୁଖ୍ୟ ଅଗମ କୁମାର, ଆଇରନ ମେକିଂ ବିଭାଗ ମୁଖ୍ୟ ଅମିତ କୁମାର ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଗ୍ରାମୀଣ ମହିଳା ଏବଂ ଛାତ୍ରୀଛାତ୍ରମାନଙ୍କୁ ସଚେତନ କରିବା ପାଇଁ ଆଖପାଖ ୧୨ଟି ଗ୍ରାମର ୩୦୦ ମହିଳାଙ୍କୁ ନେଇ ନୂଆଗାଁଠାରେ ଏକ କାର୍ଯ୍ୟକ୍ରମ କରାଯାଇଥିଲା। ସେହିପରି ପାଇକପୁରୁଣାକୋଟ ପଞ୍ଚାୟତର ପାରିକୁଳ ଉଚ୍ଚ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ପାଇଁ ଆୟୋଜିତ ଅଧିବେଶନରେ ଶିକ୍ଷୟିତ୍ରୀ ଶିକ୍ଷକ, ୮୦ ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ। ଘରୋଇ ସୁରକ୍ଷା ଉପରେ ସଚେତନତା ସୃଷ୍ଟି କରିବା ନିମନ୍ତେ ଟାଟାଷ୍ଟିଲ ଟାଉନ ଶିପ୍‌ ଅଧିବାସୀଙ୍କ ପାଇଁ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଢେଙ୍କାନାଳ ମଣ୍ଡଳ କାରଖାନା ଓ ବାଷ୍ପିତ୍ର ବିଭାଗ ସହକାରୀ ନିର୍ଦ୍ଦେଶିକା ପୁଷ୍ପମିତ୍ରା ଜେନା, ଅନୁଗୋଳ ମଣ୍ଡଳ କାରଖାନା ଓ ବାଷ୍ପିତ୍ର ବିଭାଗ ନିର୍ଦ୍ଦେଶିକା ଅର୍ଚ୍ଚନା ଦାସ ଓ ଉପନିର୍ଦ୍ଦେଶକ ଅବନିକାନ୍ତ ନାୟକ, ଟାଟାଷ୍ଟିଲ ମେରାମଣ୍ଡଳିର ସେୟାର୍ଡ ସର୍ଭିସେସ୍‌ ମୁଖ୍ୟ ବେଦ ପ୍ରକାଶ ଠାକୁର, ଅନୁଗୋଳ ଏନର୍ଜୀ ଲିମିଟେଡ ପରିଚାଳନା ନିର୍ଦ୍ଦେଶକ ଶୈଳେଶ ବର୍ମାଙ୍କ ଉପସ୍ଥିତି ଏକ ସୁରକ୍ଷା କର୍ମଶାଳା ଆୟୋଜିତ ହୋଇଥିଲା। ନିକଟସ୍ଥ ଶିଳ୍ପାନୁଷ୍ଠାନଗୁଡିକରୁ ୫୬ଜଣ ପ୍ରତିନିଧି ଅଂଶଗ୍ରହଣ କରିଥିଲେ।