ସମ୍ବଲପୁରରେ ବିସିଆଇ ଟିମ୍‌

ସମ୍ବଲପୁର,୨୬।୨(ବ୍ୟୁରୋ): ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶକୁ ଅବମାନନା କରି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ନେଇ ସମ୍ବଲପୁରଠାରେ ଜିଲା ଓକିଲ ସଂଘ ଆନ୍ଦୋଳନରେ ସାମିଲ ହୋଇଥିଲା। ଏହି ଘଟଣାରେ ସୁପ୍ରିମ୍‌କୋର୍ଟ କ୍ଷୋଭ ପ୍ରକାଶ କରି ୫୪ ଜଣ ଓକିଲଙ୍କ ଲାଇସେନ୍ସ ୧୮ ମାସ ପର୍ଯ୍ୟନ୍ତ ନିଲମ୍ବନ କରିଥିଲେ। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଅନ୍ୟ ସମସ୍ତ ଓକିଲଙ୍କ ନିଲମ୍ବନ ବଳବତ୍ତର ରହିବ ବୋଲି ରୋକଠୋକ ଶୁଣାଇଥିଲେ। ଘଟଣାର ସତ୍ୟାସତ୍ୟ ଯାଞ୍ଚ କରିବା ପାଇଁ ବିସିଆଇ (ବାର୍‌ କାଉନ୍‌ସିଲ ଅଫ ଇଣ୍ଡିଆ)ର ୩ଜଣିଆ କମିଟିକୁ ନିର୍ଦ୍ଦେଶ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବିସିଆଇ ଟିମ୍‌ ସଦସ୍ୟ ଡି.ପି. ଧଳ, ମାନସ ମହାପାତ୍ର, ଯଶୋବନ୍ତ ଦାସ ଶନିବାର ସମ୍ବଲପୁରରେ ପହଞ୍ଚତ୍ ଉତ୍ତରାଞ୍ଚଳ ପୋଲିସ ଆଇଜି ଡ. ଦୀପକ କୁମାର, ସମ୍ବଲପୁର ଏସ୍‌ପି ବାତୁଲା ଗଙ୍ଗାଧର, ସମ୍ବଲପୁର ଜିଲା ଜଜ୍‌ଙ୍କ ସହ ଅନ୍ୟ ବିଚାରପତି ଓ ଜିଲା ଓକିଲ ସଂଘକୁ ପୃଥକ୍‌ ଭାବେ ଭେଟିଥିଲା। ଆନ୍ଦୋଳନ ସମୟରେ କେଉଁମାନେ ଉପସ୍ଥିତ ରହିଥିଲେ, ଘଟଣା ପଛରେ କେଉଁମାନଙ୍କ ସମ୍ପୃକ୍ତି ରହିଛି, କାହିଁକି ଏଭଳି ଅଭାବନୀୟ ଘଟଣା ଘଟିଥିଲା ତାହାକୁ ନେଇ କମିଟି ସଦସ୍ୟ ତଦନ୍ତ କରିଛନ୍ତି। ଏହାର ରିପୋର୍ଟ ସେମାନେ ସୁପ୍ରିମ୍‌କୋର୍ଟରେ ଦାଖଲ କରିବେ।
ପଶ୍ଚିମ ଓଡିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ନେଇ ସମ୍ବଲପୁର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କରାଯାଇଥିବା ଆନ୍ଦୋଳନରେ ଜିଲା ଓକିଲ ସଂଘ ସାମିଲ ହୋଇଥିଲା। ୨୦୨୨ ନଭେମ୍ବର ୨୯ରେ ଆନ୍ଦୋଳନକାରୀ କୋର୍ଟ କାର୍ଯ୍ୟ ବନ୍ଦ କରିଥିଲେ। ଡିସେମ୍ବର ୧୨ରେ ବିଚାରପତିମାନେ କୋର୍ଟ କାର୍ଯ୍ୟରେ ଯୋଗଦେଇଥିବା ଜାଣି ଆନ୍ଦୋଳନକାରୀ କୋର୍ଟ ପରିସରରେ ଧସେଇ ପଶି ଭଙ୍ଗାରୁଜା କରିଥିଲେ। ସୁପ୍ରିମ୍‌କୋର୍ଟ କ୍ଷୋଭ ପ୍ରକାଶ କରି ୫୪ ଓକିଲଙ୍କ ଲାଇସେନ୍ସ ୧୮ମାସ ପର୍ଯ୍ୟନ୍ତ ନିଲମ୍ବନ କରିଥିଲେ।