ନୂଆଦିଲ୍ଲୀ,୧୯ା୪: ଭାରତୀୟ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ କାର୍ଯ୍ୟକାଳ ଏକ ବର୍ଷ ପାଇଁ ନବୀକରଣ କରାଯାଇଛି। ସେ ଆସନ୍ତାବର୍ଷ ପର୍ଯ୍ୟନ୍ତ ତାଙ୍କ ପଦବୀରେ ରହିବେ। ୨୦୨୭ ଅନ୍ତର୍ଜାତୀୟ ଦିନିକିଆ ବିଶ୍ୱକପ୍କୁ ଦୃଷ୍ଟିରେ ରଖି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏହି ପଦକ୍ଷେପ ନେଇଛି।
ଅଗରକରଙ୍କ ଅଧ୍ୟକ୍ଷତାରେ ଚୟନକମିଟି ଅଧୀନରେ ୨୦୨୩ ଅକ୍ଟୋବର ଓ ୨୦୨୬ ମାର୍ଚ୍ଚ ମଧ୍ୟରେ ମନୋନୀତ ଭାରତୀୟ ଦଳଗୁଡ଼ିକ ଚାରୋଟି ଆଇସିସି ଟୁର୍ନାମେଣ୍ଟ ଫାଇନାଲରେ ପ୍ରବେଶ କରିପାରିଛି ଏବଂ ତିନୋଟିରେ (ଦୁଇ ଟି୨୦ ବିଶ୍ୱକପ୍ ଏବଂ ଗୋଟିଏ ଆଇସିସି ଚାମ୍ପିୟନ୍ସ ଟ୍ରଫି) ବିଜୟ ଲାଭ କରିପାରିଛି। ଏହି କାରଣରୁ ତାଙ୍କ ସହିତ ହୋଇଥିବା ଚୁକ୍ତିର ଚତୁର୍ଥ ବର୍ଷ ପାଇଁ ନବୀକରଣ କରାଯାଇଛି। ବିସିସିଆଇର ଜଣେ ବରିଷ୍ଠ କର୍ମକର୍ତ୍ତାଙ୍କ ସୂତ୍ରରୁ ପ୍ରକାଶ ଅଗରକର ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାକୁ ଚାହୁଁ ନ ଥିଲେ। ଜଣେ ଚୟନକର୍ତ୍ତା ଜୁନିୟର କିମ୍ୱା ସିନିୟରରେ ୪ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିପାରିବେ, କିମ୍ୱା ଉଭୟ କମିଟିରେ ମୋଟ ୫ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିପାରିବେ। ମାତ୍ର ଏଠାରେ ଅଗରକରଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇ ନାହିଁ ବରଂ ନବୀକରଣ କରାଯାଇଛି।