Categories: ଖେଳ

ଘରୋଇ କ୍ରିକେଟ ସେସନକୁ ଛୋଟ କଲା ବିସିସିଆଇ: କେବଳ ରଣଜୀ, ବିନୁ ମଙ୍କଡ ଟ୍ରଫି ଖେଳାଯିବ

ମୁମ୍ବାଇ,୧୯।୭(ପି.ଟି.): କୋଭିଡ୍‌-୧୯ ମହାମାରୀର ପ୍ରକୋପ ବୃଦ୍ଧି ପାଉଥିବା ବେଳେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ଆଗାମୀ ଘରୋଇ କ୍ରିକେଟ ସେସନକୁ କାଟଛାଣ୍ଟ କରିବାକୁ ବୋର୍ଡ ନିଷ୍ପତ୍ତି ନେଇଛି। ଏଥର କେବଳ ରଣଜୀ ଟ୍ରଫି ଓ ୧୯ ବର୍ଷରୁ କମ୍‌ ବିନୁ ମଙ୍କଡ ଟ୍ରଫି ଖେଳାଯିବ ବୋଲି ବୋର୍ଡ ତରଫରୁ କୁହାଯାଇଛି। ଏହି କ୍ରମରେ ଦୁଲୀପ୍‌ ଟ୍ରଫି, ଦେଓଧର ଟ୍ରଫି, ବିଜୟ ହଜାରେ ଟ୍ରଫି ଓ ୨୩ ବର୍ଷରୁ କମ୍‌ ସି.କେ. ନାଇଡୁ ଟ୍ରଫିକୁ ବୋର୍ଡ ବାତିଲ କରିଛି। ତେବେ ସୟଦ ମୁସ୍ତାକ ଅଲୀ ଟି୨୦ ଟୁର୍ନାମେଣ୍ଟ ଆୟୋଜନ କରିବା ପାଇଁ ଚଳିତ ବର୍ଷ ପ୍ରୟାସ କରାଯିବ।
ପୂର୍ବରୁ ଯେପରି ରଣଜୀ ଟ୍ରଫି ପ୍ରାରମ୍ଭିକ ବେଳେ ଖେଳାଯାଉଥିଲା ଏଥର ଏହା ଠିକ୍‌ ସେହିଭଳି ଖେଳାଯିବ ବୋଲି ଆଶା କରାଯାଉଛି। ସାରା ଦେଶକୁ ୫ଟି ଭୌଗଲିକ ଅଞ୍ଚଳରେ ବିଭକ୍ତ କରାଯିବ ଓ ଏହି ଅଞ୍ଚଳଗୁଡିକୁ ନେଇ ରଣଜୀ ଖେଳାଯିବ। ଏଗୁଡିକ ହେଲା ଉତ୍ତର, ପଶ୍ଚିମ, ଦକ୍ଷିଣ, ପୂର୍ବ ଓ କେନ୍ଦ୍ରୀୟ ଅଞ୍ଚଳ। ପ୍ରଥମେ ଜୋନ୍‌ଗୁଡିକ ମଧ୍ୟରେ ମ୍ୟାଚ୍‌ ଖେଳାଳିଯିବ ଓ ସମ୍ପୃକ୍ତ ଜୋନର ବିଜେତା ଘୋଷଣା କରାଯିବ। ଏହାପରେ ଜୋନ୍‌ଗୁଡିକର ବିଜେତା ଦଳଗୁଡିକ ନକ୍‌ଆଉଟ୍‌ ଟୁର୍ନାମେଣ୍ଟ ଖେଳବା ପରେ ରଣଜୀ ଚାମ୍ପିୟନ କେଉଁ ଦଳ ହେବ ଜଣାପଡିବ।
ରଣଜୀ ଟ୍ରଫିରେ ପ୍ରତିବର୍ଷ ୩୮ଟି ଦଳ ଓ ପାଖାପାଖି ୫୦୦ ଖେଳାଳି ଅଂଶଗ୍ରହଣ କରିଥାନ୍ତି। ଦୁଲୀପ ଟ୍ରଫି ଓ ଇରାନୀ ଟ୍ରଫି ପାଇଁ ଖେଳାଳିମାନେ ରଣଜୀରୁ ହିଁ ବଛା ଯାଇଥାନ୍ତି। ତେବେ ପ୍ରତିଭା ଚହ୍ନଟ ତଥା ଅନ୍ବେଷଣ ପାଇଁ ୧୯ ବର୍ଷରୁ କମ୍‌ କ୍ରିକେଟ ଟୁର୍ନାମେଣ୍ଟ ଆୟୋଜନ କରିବା ଜରୁରୀ ହୋଇପଡିଛି ବୋଲି ବିସିଆଇ ହୃଦୟଙ୍ଗମ କରିଛି। ଏହି ମହାମାରୀକୁ ଦୃଷ୍ଟିରେ ରଖି ସବୁ ଖେଳାଳିଙ୍କୁ ନ୍ୟାୟୋଚିତ ପାଉଣା ଓ ସମ୍ମାନ ଦେବାକୁ ଉପରେ କାର୍ଯ୍ୟ କରାଯାଉଛି।

Share