ମୁମ୍ବାଇ,୧୧।୩: ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ୨୦୨୬ର ପ୍ରଥମ ପର୍ଯ୍ୟାୟ ପାଇଁ BCCI କାର୍ଯ୍ୟସୂଚୀ ଘୋଷଣା କରିଛି। ଚଳିତ ସିଜନର ପ୍ରଥମ ମ୍ୟାଚ୍ରେ ଡିଫେଣ୍ଡିଂ ଚାମ୍ପିଅନ୍ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଏବଂ ସନରାଇଜର୍ସ ହାଇଦ୍ରାବାଦ (SRH) ମଧ୍ୟରେ ଟକ୍କର ହେବ। କିନ୍ତୁ ଏହି ମ୍ୟାଚ୍ ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ହେବ କି ନାହିଁ, ସେ ନେଇ ଏକ ବଡ଼ ସର୍ତ୍ତ ରଖାଯାଇଛି।
୨୦୨୫ରେ RCB ର ବିଜୟ ପରେ ବେଙ୍ଗାଲୁରୁରେ ଆୟୋଜିତ ପରେଡ୍ ସମୟରେ ଘଟିଥିବା ଦଳାଚକଟା ଘଟଣାକୁ ଦୃଷ୍ଟିରେ ରଖି ଏହି କଟକଣା ଲଗାଯାଇଛି। କର୍ଣ୍ଣାଟକ ସରକାରଙ୍କ ଦ୍ୱାରା ଗଠିତ ଏକ ବିଶେଷଜ୍ଞ କମିଟି ଆସନ୍ତା ମାର୍ଚ୍ଚ ୧୩ ତାରିଖରେ ଷ୍ଟାଡିୟମର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବେ।
ମ୍ୟାଚ୍ ଦିନ ଭିଡ଼ ନିୟନ୍ତ୍ରଣ କିପରି କରାଯିବ, ସେନେଇ ଏକ ପୂର୍ଣ୍ଣକାଳୀନ ମକ୍ ଡ୍ରିଲ୍ କରାଯିବ। କମିଟିର ସବୁଜ ସଙ୍କେତ ମିଳିଲେ ହିଁ ବେଙ୍ଗାଲୁରୁରେ ମ୍ୟାଚ୍ ଆୟୋଜନ ହେବ। ଯଦି ଅନୁମତି ମିଳେ, ତେବେ RCB ବେଙ୍ଗାଲୁରୁରେ ୫ଟି ଏବଂ ରାୟପୁରରେ ୨ଟି ଘରୋଇ ମ୍ୟାଚ୍ ଖେଳିବ।
ପ୍ରଥମ ପର୍ଯ୍ୟାୟରେ ମୋଟ ୨୦ଟି ମ୍ୟାଚ୍ ୧୦ଟି ସହରରେ ଖେଳାଯିବ। ଦ୍ୱିତୀୟ ମ୍ୟାଚ୍ ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ୱାଙ୍ଖେଡେରେ ମୁକାବିଲା ହେବ। ଏପ୍ରିଲ ୪ ତାରିଖରେ ସିଜନର ପ୍ରଥମ ଡବଲ ହେଡର (ଦିନରେ ଦୁଇଟି ମ୍ୟାଚ୍) ଖେଳାଯିବ। ତିନୋଟି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ, ନିର୍ବାଚନ ତାରିଖ ଘୋଷଣା ହେବା ପରେ IPL ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରକାଶ ପାଇବ।
ଅପରାହ୍ନ ମ୍ୟାଚ୍ ଗୁଡ଼ିକ ୩:୩୦ PM ଏବଂ ସନ୍ଧ୍ୟା ମ୍ୟାଚ୍ ଗୁଡ଼ିକ ୭:୩୦ PM ରେ ଆରମ୍ଭ ହେବ।

