Categories: ଖେଳ

ସ୍ପଷ୍ଟ କଲା ବିସିସିଆଇ: ବଦଳିବ ନାହିଁ ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ,୨୨।୮: ଆଇସିସି ପୁରୁଷ ଦିନିକିଆ ବିଶ୍ୱକପ୍‌ ୨୦୨୩ର କାର୍ଯ୍ୟସୂଚୀରେ କୌଣସି ପରିବର୍ତ୍ତନ ହେବ ନାହିଁ। ବିସିସିଆଇ  ହାଇଦ୍ରାବାଦ କ୍ରିକେଟ ଆସୋସିଏଶନ(ଏଚ୍‌ସିଏ)ର ଅନୁରୋଧକୁ ଆଧିକାରିକ ଭାବେ ଖାରଜ କରିବା ପରେ ଏନେଇ ସ୍ପଷ୍ଟ କରିଛି। ତେବେ ଏଚ୍‌ସିଏ ଅକ୍ଟୋବର ୫ରୁ ଆରମ୍ଭ ହେଉଥିବା ବିଶ୍ୱକପ୍‌ ସମୟରେ ଲଗାତାର ଦୁଇ ଦିନ ମ୍ୟାଚ୍‌ର ଆୟୋଜନ ଏବଂ ଖେଳାଳିଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଥିଲା। ଏହାକୁ ଦେଇ ମ୍ୟାଚ୍‌ରେ ପରିବର୍ତ୍ତନ ନେଇ ବୋର୍ଡକୁ ଅନୁରୋଧ କରିଥିଲା।
ସୂଚନାଯୋଗ୍ୟ, ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଅକ୍ଟୋବର ୯ରେ ନ୍ୟୁଜିଲାଣ୍ଡ ବନାମ ନେଦରଲ୍ୟାଣ୍ଡ ମଧ୍ୟରେ ମୁକାବିଲା ହେବ। ହାଇଦ୍ରାବାଦ କ୍ରିକେଟ ଆସୋସିଏଶନ ୩ ମ୍ୟାଚ୍‌ ଆୟୋଜନ କରିବ। ହେଲେ ସୁରକ୍ଷା ସମ୍ବନ୍ଧୀତ ଅସୁବିଧାର ସମ୍ମୁଖୀନ ହେବା ଆଶଙ୍କାରେ ଅକ୍ଟୋବର ୧୨ରେ ହେବାକୁ ଥିବା ପାକିସ୍ତାନ-ଶ୍ରୀଲଙ୍କା ମ୍ୟାଚ୍‌କୁ ଆଗକୁ ବଢ଼ାଇ ଅକ୍ଟୋବର ୧୦ରେ କରାଯାଇଛି। ହେଲେ ଆସୋସିଏଶନ ଦୁଇ ମ୍ୟାଚ୍‌ ମଧ୍ୟରେ ଅଧିକ ଦିନ ସୁନିଶ୍ଚିତ କରିବା ଲାଗି କାର୍ଯ୍ୟକ୍ରମରେ ପରିବର୍ତ୍ତନ ଲାଗି ଆଧିକାରିକ ଅନୁରୋଧ କରିଥିଲା। ପଛକୁ ପଛ ମ୍ୟାଚ୍‌ ଥିବାରୁ ପାକିସ୍ତାନ ଟିମ୍‌କୁ ସୁରକ୍ଷା ପ୍ରଦାନ କରିବା ସହଜ ନୁହେଁ। କାରଣ ଷ୍ଟାଡିୟମ ସହ ଦଳ ରହୁଥିବା ହୋଟେଲରେ ଅଧିକ ସୁରକ୍ଷାକର୍ମୀଙ୍କୁ ମୁତୟନ କରିବାର ଆବଶ୍ୟକତା ରହିଛି ବୋଲି ଆସୋସିଏଶନ ଦର୍ଶାଇଥିଲା।
ପୂର୍ବରୁ ବିସିସିଆଇ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରି ସମାଲୋଚିତ ହୋଇଥିଲା। ଏମିତିରେ ଏଚ୍‌ସିଏର ଏଭଳି ଅନୁରୋଧ ଉପରେ ବିସିସିଆଇ କିଭଳି ପଦକ୍ଷେପ ନେଉଛି ତା ଉପରେ ସମସ୍ତଙ୍କ ନଜର ରହିଛି।
Share