Categories: ଖେଳ

କୋହଲିଙ୍କ ଉପରେ ରାଗିଲା ବିସିସିଆଇ

ଓଭାଲ,୭।୯: ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଏବଂ ରବି ଶାସ୍ତ୍ରୀଙ୍କ ଉପରେ ବିସିସିଆଇ ରାଗିଛି। ନିକଟରେ କୋହଲି ଶାସ୍ତ୍ରୀଙ୍କ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମକୁ ମଧ୍ୟ ଯାଇଥିଲେ। ଏଥିପାଇଁ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ଇସିବି)ରୁ ଅନୁମତି ନିଆଯାଇ ନ ଥିଲା। ଏହି କାର୍ଯ୍ୟକ୍ରମକୁ ଅନେକ ଲୋକ ଆସିଥିଲେ। ଏଠାରୁ ଆସିବା ପରେ ରବି ଶାସ୍ତ୍ରୀ ପ୍ରଥମେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହା ପରେ ତାଙ୍କ ବୋଲିଂ କୋଚ ଭାରତ ଅରୁଣ ଏବଂ ଫିଲ୍ଡିଂ କୋଚ ଆର ଶ୍ରୀଧର ମଧ୍ୟ ପଜିଟିଭ୍‌ ହୋଇଥିଲେ। ଟିମ ଫିଜିଓ ନିତିନ ପଟେଲ ମଧ୍ୟ ଏବେ ଆଇସୋଲେସନ୍‌ରେ ଅଛନ୍ତି। ଏହି କାରଣରୁ କୋଚ ଶାସ୍ତ୍ରୀ ମଧ୍ୟ ପଞ୍ଚମ ଟେଷ୍ଟରେ ଦଳ ସହ ରହିବେ ନାହିଁ।
ମଙ୍ଗଳବାର ପୁସ୍ତକ ଉନ୍ମୋଚନ ଇଭେଣ୍ଟରେ ବହୁତ ଲୋକ ଏକାଠି ହୋଇଥିଲେ। ଏହି ସମୟରେ ରବି ଶାସ୍ତ୍ରୀ ଏବଂ ବିରାଟ କୋହଲିଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ଇଭେଣ୍ଟର ଫଟୋ ବୋର୍ଡ ସହିତ ଶେୟାର କରାଯାଇଛି। ବୋର୍ଡ ଏହାର ତଦନ୍ତ କରିବ।  ଅନୁମତି ନ ନେଇ କୋଚ ଏବଂ ଅଧିନାୟକ ସେଠାକୁ କାହିଁକି ଯାଇଥିଲେ ସେ ନେଇ ସେମାନେ ଉତ୍ତର ରଖିବେ। ବୁଧବାର ଦିନ ଟି -୨୦ ବିଶ୍ୱକପ ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହେବ।
ବିସିସିଆଇ ସଚିବ ଜୟ ଶାହା ସିରିଜ ପୂର୍ବରୁ ଦଳର ପ୍ରତ୍ୟେକ ସଦସ୍ୟଙ୍କୁ ଏକ ଚିଠି ଲେଖି ସେମାନଙ୍କୁ ସତର୍କ ରହିବାକୁ ଏବଂ ଅତ୍ୟଧିକ ଜନଗହଳିପୂର୍ଣ୍ଣ ଘଟଣାରେ ଲିପ୍ତ ରହିବାକୁ ଅନୁରୋଧ କରିଥିଲେ। ଏହାସତ୍ତ୍ୱେ ଖେଲାଳି ଏହାକୁ ନ ମାନିବା ଦୁର୍ଭାଗ୍ୟଜନକ ବୋଲି ବିସିସିଆଇର ଜଣେ ଅଧିକାରୀ କହିଛନ୍ତି।

Share