Categories: ଖେଳ

ଆଇପିଏଲ୍‌ ଫାଇନାଲ ଅକ୍ଟୋବର ୧୫କୁ ଘୁଞ୍ଚିପାରେ

ନୂଆଦିଲ୍ଲୀ, ୭।୬: ଅଧାରୁ ବନ୍ଦ ରହିଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଫାଇନାଲ ଅକ୍ଟୋବର ୧୫କୁ ଘୁଞ୍ଚିପାରେ। ପ୍ରତିଯୋଗିତା ସ୍ଥଳ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ରେ ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ଡବଲ ହେଡର (ଦିନକୁ ୨ ମ୍ୟାଚ) ସଂଖ୍ୟା କମାଇ ଦିଆଯିବାକୁ ଥିବାରୁ ଏହି ପରିସ୍ଥିତି ଉପୁଜିଛି। ପୂର୍ବରୁ ପ୍ରକାଶିତ ରିପୋର୍ଟ ଅନୁସାରେ ଟୁର୍ନାମେଣ୍ଟ ସେପ୍ଟେମ୍ବର ୧୯ରେ ଆରମ୍ଭ ହୋଇ ଅକ୍ଟୋବର ୧୦ରେ ଶେଷ କରାଯିବାକୁ ଯୋଜନା ରହିଥିଲା। ମାତ୍ର ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଓ ଏମିରେଟ୍ସ କ୍ରିକେଟ ବୋର୍ଡ (ଇସିବି) ଆକର୍ଷକ ଟି୨୦ ଇଭେଣ୍ଟକୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ବଢ଼ାଇବାକୁ ଚିନ୍ତା କରୁଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ଓ୍ବିଣ୍ଡୋ ବାହାର କରାଯାଇଛି। ବିସିସିଆଇ ୧୦ ଡବଲ ହେଡର(ଦିନକୁ ୨ ମ୍ୟାଚ) କରିବାକୁ ଚିନ୍ତା କରୁଥିଲା। ମାତ୍ର ସେପ୍ଟେମ୍ବର ତୃତୀୟ ଏବଂ ୪ର୍ଥ ସପ୍ତାହରେ ଅଳ୍ପଦିନରେ ଅଧିକ ଅପରାହ୍ନ ମ୍ୟାଚ ଖେଳାଳିଙ୍କୁ ଶାରୀରିକଭାବେ କ୍ଷତି ପହଞ୍ଚାଇପାରେ। ତେଣୁ ଡବଲ ହେଡର ସଂଖ୍ୟାକୁ ୫ କିମ୍ବା ୬କୁ କମାଇ ଫାଇନାଲ ଅକ୍ଟୋବର ୧୫ରେ କରାଇବାକୁ ଯୋଜନା ହେଉଛି। ୧୫ ତାରିଖ ଶୁକ୍ରବାର ଭାରତରେ ସପ୍ତାହାନ୍ତ ଏବଂ ଦୁବାଇରେ ଛୁଟିଦିନ ପଡ଼ୁଥିବାରୁ ଅଧିକରୁ ଅଧିକ ଦର୍ଶକ ଏହାକୁ ଉପଭୋଗ କରିପାରିବେ ବୋଲି ବିସିସିଆଇର ଏକ ସୂତ୍ରରୁ ପ୍ରକାଶ କରାଯାଇଛି।

Share