Categories: ଖେଳ

ଏସିଆ କପ୍‌ ୨୦୨୩ ଲାଗି ପାକିସ୍ତାନ ଯାଇପାରେ ଟିମ୍‌ ଇଣ୍ଡିଆ !

ନୂଆଦିଲ୍ଲୀ,୧୪।୧୦: ପାକିସ୍ତାନରେ ଏସିଆ କପ୍‌ ୨୦୨୩ ଆୟୋଜିତ ହେବ ବୋଲି ନିଶ୍ଚିତ ହୋଇଛି। ଏହାପରଠାରୁ ବିସିସିଆଇ ଏହି ଟୁର୍ନାମେଣ୍ଟରେ ଭାଗ ନେବାକୁ ଭାରତୀୟ ଟିମ୍‌କୁ ପଠାଇବ କି ନାହିଁ ତାକୁ ନେଇ କ୍ରିକେଟ ପ୍ରଶଂସକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି। ଏଭଳି ସ୍ଥିତିରେ ଏସିଆ କପ୍‌ ଲାଗି ଭାରତୀୟ ଟିମ୍‌ ପଠାଇବାକୁ ବିସିସିଆଇ ପ୍ରସ୍ତୁତ ବୋଲି ଜଣାପଡ଼ିଛି। ହେଲେ ଚୂଡାନ୍ତ ନିଷ୍ପତ୍ତି ସରକାରଙ୍କ ନିର୍ଣ୍ଣୟ ଉପରେ ନିର୍ଭର କରିବ।

ବିସିସିଆଇ ଏହାର ଏଜିଏମ୍‌(ଆନୁଆଲ ଜେନେରାଲ୍‌ ମିଟିଂ) ସମ୍ବନ୍ଧରେ ରାଜ୍ୟ କ୍ରିକେଟ ଆସୋସିଏଶନ୍‌କୁ ପଠାଇଥିବା ଚିଠିରେ ଭାରତୀୟ ଟିମ୍‌ର ପାକିସ୍ତାନ ଗସ୍ତ ବିଷୟରେ ଉଲ୍ଲେଖ କରିଛି। ଆସନ୍ତା ବର୍ଷ ୫୦ ଓଭର ବିଶିଷ୍ଟ ଏସିଆ କପ୍‌ରେ ଭାଗନେବାକୁ ଭାରତୀୟ ଟିମ୍‌କୁ ପାକିସ୍ତାନ ଯିବାକୁ ହେବ। ଏନେଇ ଅକ୍ଟୋବର ୧୮ରୁ ଆରମ୍ଭ ହେବାକୁ ଥିବା ବିସିସିଆଇର ଏଜିଏମ୍‌ରେ ଆଲୋଚନା କରାଯିବ ବୋଲି ଜଣାପଡ଼ିଛି।

ତେବେ ୨୦୧୨-୧୩ ପରଠାରୁ ଭାରତ-ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ ଖେଳାଯାଇନାହିଁ। କେବଳ ବିଶ୍ୱକପ୍‌ ଏବଂ ଏସିଆ କପ୍‌ରେ ଦୁହେଁ ମୁହାଁମୁହିଁ ହେଉଛନ୍ତି। ଭାରତୀୟ ଦଳ ଶେଷ ଥର ପାଇଁ ୨୦୦୫-୦୬ରେ ପାକିସ୍ତାନ ଗସ୍ତ କରିଥିଲା। ସେହି ସମୟରେ ଭାରତର ଅଧିନାୟକ ରାହୁଲ ଦ୍ରାବିଡ ଥିଲେ। ଉଭୟ ଟିମ୍‌ ମଧ୍ୟରେ ସେତେବେଳେ ୩ ଟେଷ୍ଟ ଏବଂ ୫ ଦିନିକିଆ ଖେଳାଯାଇଥିଲା।

Share