ନୂଆଦିଲ୍ଲୀ,୨୬ା୩: IPL ୨୦୨୬ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି BCCI । ଉଦଘାଟନୀ ଉତ୍ସବକୁ ବାତିଲ କରାଯାଇଛି । ଗତ ବର୍ଷ ବେଙ୍ଗାଲୁରୁରେ RCBର ବିଜୟ ଶୋଭାଯାତ୍ରା ସମୟରେ ହୋଇଥିବା ଦଳାଚକଟାରେ ପ୍ରାଣ ହରାଇଥିବା ଲୋକଙ୍କ ସ୍ମୃତିକୁ ସମ୍ମାନ ଜଣାଇବା ପାଇଁ BCCI ଏହି ନିଷ୍ପତ୍ତି ନେଇଛି । ବେଙ୍ଗାଲୁରୁରେ ସେହି ଦଳାଚକଟାରେ ଏଗାର ଜଣ ପ୍ରାଣ ହରାଇଥିଲେ। ରିପୋର୍ଟ ଅନୁଯାୟୀ, ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ସେମାନଙ୍କ ସ୍ମୃତିରେ ଏହି ସିଜନ ପାଇଁ IPL ଉଦଘାଟନୀ ଉତ୍ସବକୁ ସ୍ଥଗିତ ରଖିଛି ।
୨୦୨୬ ଆଇପିଏଲ ୨୮ ମାର୍ଚ୍ଚରେ ଆରମ୍ଭ ହେବ । ପ୍ରଥମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହେବେ। ଏହି ମୁକାବିଲା ବେଙ୍ଗାଲୁରୁର ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ। ବିସିସିଆଇ ଆଇପିଏଲ ୨୦୨୬ର ପ୍ରଥମ ମ୍ୟାଚ୍ ପୂର୍ବରୁ ଉଦଘାଟନୀ ଉତ୍ସବ ନକରିବାକୁ ନିଷ୍ପତ୍ତି ନେଇଛି ।
ଗତ ସିଜିନରେ RCB ପ୍ରଥମ ଥର ପାଇଁ IPL ଟାଇଟଲ ଜିତିଥିଲା, ଯାହା ପରେ ୪ ଜୁନ୍ ୨୦୨୫ରେ ବେଙ୍ଗାଲୁରୁରେ ଦଳର ବିଜୟ ଉତ୍ସବ ସମୟରେ ଦଳାଚକଟା ହୋଇଥିଲା। ସେହି ଦଳାଚକଟାରେ ୧୧ଜଣଙ୍କ ମୃତ୍ୟୁକୁ ଉଦ୍ଧୃତ କରି, BCCI ଆଗାମୀ ସିଜିନ୍ ପାଇଁ ଉଦଘାଟନୀ ଉତ୍ସବ ଆୟୋଜନ ନକରିବାକୁ ନିଷ୍ପତ୍ତି ନେଇଛି। ତଥାପି, BCCI ସଚିବ ଦେବଜିତ ସାଇକିଆ କହିଛନ୍ତି ଯେ, IPLର ୧୯ତମ ସିଜିନ୍ ପାଇଁ ଶେଷ ଉତ୍ସବ ମେ୩୧ ତାରିଖରେ ହେବାର ସମ୍ଭାବନା ରହିଛି ।

