Categories: Home Leftଖେଳ

ତୃତୀୟ ଟି-୨୦ରୁ ବାଦ୍‌ ପଡ଼ିଲେ ଇଶାନ କିଶନ, ବୈଭବ ନୁହେଁ ଏହି ଖେଳାଳିଙ୍କୁ ମିଳିବ ସୁଯୋଗ!

ନୂଆଦିଲ୍ଲୀ, ୨୬।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି। ଭାରତୀୟ ଦଳର ଷ୍ଟାର୍‌ ଖେଳାଳି ଇଶାନ କିଶନ ତୃତୀୟ ମ୍ୟାଚରୁ ବାଦ ପଡ଼ିଛନ୍ତି। ପ୍ରଥମ ମ୍ୟାଚ ସମୟରେ ତାଙ୍କ ଡାହାଣ ଜଙ୍ଘର ଭିତର ପାର୍ଶ୍ୱ ମାଂସପେଶୀରେ ଆଘାତ ଲାଗିଥିଲା। ଏହା ପରେ ସେ ଦ୍ୱିତୀୟ ଟି-୨୦ ମ୍ୟାଚ ଖେଳିପାରି ନ ଥିଲେ। ତାଙ୍କ ସ୍ଥାନରେ ସେହି ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ ମିଳିଥିଲା।

ଇଶାନ ୱେଲିଂଟନରେ ହେବାକୁ ଥିବା ତୃତୀୟ ମ୍ୟାଚରେ ମଧ୍ୟ ଖେଳିପାରିବେ ନାହିଁ। ତେଣୁ ବୈଭବଙ୍କୁ ପୁଣି ଥରେ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିବାର ସମ୍ଭାବନା ବଢ଼ିଛି। ତେବେ ଇଶାନଙ୍କ ସ୍ଥାନରେ ଖେଳିବା ପାଇଁ କୁମାର କୁଶାଗ୍ର ମଧ୍ୟ ଦୌଡ଼ରେ ରହିଛନ୍ତି।

ଇଶାନ କିଶନଙ୍କ ଫିଟନେସକୁ ନେଇ ବିସିସିଆଇ ଏକ ବିବୃତି ଜାରି କରିଛି। ଏଥିରେ କୁହାଯାଇଛି ଯେ, ଈଶାନ ଡାହାଣ ଜଙ୍ଘର ଭିତର ପାର୍ଶ୍ୱ ମାଂସପେଶୀରେ ଲାଗିଥିବା ଆଘାତରୁ ଶୀଘ୍ର ସୁସ୍ଥ ହେଉଛନ୍ତି। କିନ୍ତୁ ସେ ଏପର୍ଯ୍ୟନ୍ତ ମ୍ୟାଚ ଖେଳିବା ପାଇଁ ଶତପ୍ରତିଶତ ଫିଟ ହୋଇନାହାନ୍ତି। ଏଥିପାଇଁ ଅକ୍ଟୋବର ୨୭ ତାରିଖରେ ୱେଲିଂଟନରେ ଖେଳାଯିବାକୁ ଥିବା ତୃତୀୟ ଟି-୨୦ ମ୍ୟଚରେ ତାଙ୍କୁ ବାଦ ଦିଆଯାଇଛି। ବିସିସିଆଇର ମେଡିକାଲ ଟିମ ତାଙ୍କ ସୁସ୍ଥ ହେବା ପ୍ରକ୍ରିୟା ଉପରେ ନିୟମିତ ନଜର ରଖିଛି।

ଦ୍ୱିତୀୟ ଟି-୨୦ ମ୍ୟାଚ୍ରେ ଇଶାନଙ୍କ ସ୍ଥାନରେ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ବୈଭବ ସୂର୍ଯ୍ୟବଂଶୀ ମାତ୍ର ୪ ରନ କରି ଆଉଟ ହୋଇଥିଲେ। ତଥାପି ତୃତୀୟ ମ୍ୟାଚରେ ତାଙ୍କୁ ପୁଣି ଥରେ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିବାର ଆଶା ଅଧିକ ରହିଛି।

ଅନ୍ୟପକ୍ଷରେ, ବିସିସିଆଇ ନିଜ ବିବୃତିରେ ସ୍ପଷ୍ଟ କରିଛି ଯେ, କୁମାର କୁଶାଗ୍ର ତୃତୀୟ ଟି-୨୦ ମ୍ୟାଚ ପାଇଁ ମଧ୍ୟ ଭାରତୀୟ ଦଳରେ ରହିବେ। ଇଶାନ କିଶନ ଆହତ ହେବା ପରେ ଦ୍ୱିତୀୟ ଟି-୨୦ ପାଇଁ ଭାରତୀୟ ଦଳରେ କୁଶାଗ୍ରଙ୍କୁ ସାମିଲ କରାଯାଇଥିଲା।

Dharitri – Odisha’s No.1 Odia Daily

Share