ମୁମ୍ବାଇ,୮।୯: ବୟସ ସମ୍ପର୍କିତ ଅନିୟମିତତା ଅଭିଯୋଗରେ ଭାରତୀୟ ଅଣ୍ଡର-୧୯ ଦଳରୁ ବାଦ୍ ପଡ଼ିଛନ୍ତି ରୋହିତ ଯାଦବ। ଅଷ୍ଟ୍ରେଲିଆ ଅଣ୍ଡର-୧୯ ଦଳ ବିପକ୍ଷରେ ହେବାକୁ ଥିବା ଦିନିକିଆ ଏବଂ ମଲ୍ଟି-ଡେ ସିରିଜ ପାଇଁ ରୋହିତଙ୍କୁ ଦଳରୁ ହଟାଇଛି ବିସିସିଆଇ।
ବିସିସିଆଇର ଅଧିକାରିକ ବୟାନ ଅନୁସାରେ, ଜୁନିୟର କ୍ରିକେଟ କମିଟି ରୋହିତଙ୍କ ସ୍ଥାନରେ ଅଣ୍ଡର-୧୯ ଦିନିକିଆ ଦଳରେ ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନର ଆର୍ୟନ ସବସାନୀଙ୍କୁ ସାମିଲ କରିଛି। ସେହିପରି ମଲ୍ଟି-ଡେ ଦଳରେ ହରିୟାଣା କ୍ରିକେଟ ଆସୋସିଏସନର ତନ୍ମୟ ବଲୋଦାଙ୍କୁ ସୁଯୋଗ ମିଳିଛି।
ବଙ୍ଗଳାର ବୟସ ବର୍ଗ କ୍ରିକେଟରେ ପ୍ରତିନିଧିତ୍ୱ କରିଥିବା ରୋହିତ ଯାଦବଙ୍କ ବୟସକୁ ନେଇ କ୍ରିକେଟ ଆସୋସିଏଶନ ଅଫ ବେଙ୍ଗଲ (CAB) ପକ୍ଷରୁ ତଦନ୍ତ କରାଯାଇଥିଲା। ତଦନ୍ତରେ ତାଙ୍କ ବୟସରେ ୨୭ ମାସର ତଫାତ ଥିବା ଜଣାପଡ଼ିଥିବା ଦାବି କରାଯାଇଛି।
ଏହାସହ ରୋହିତଙ୍କ ଜନ୍ମ ବର୍ଷ ତିନିଥର ପରିବର୍ତ୍ତନ କରାଯାଇଥିବା ମଧ୍ୟ ତଦନ୍ତରେ ସାମ୍ନାକୁ ଆସିଥିବା କୁହାଯାଇଛି। ଉଲ୍ଲେଖଯୋଗ୍ୟ, ନିକଟରେ ଶ୍ରୀଲଙ୍କା ଗସ୍ତ କରିଥିବା ଭାରତୀୟ ଅଣ୍ଡର-୧୯ ଦଳରେ ମଧ୍ୟ ରୋହିତ ସାମିଲ ଥିଲେ।
ବିସିସିଆଇ କହିଛି ଯେ, ରାଜକୋଟ ଓ ଅହମ୍ମଦାବାଦରେ ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷରେ ହେବାକୁ ଥିବା ମ୍ୟାଚ ପାଇଁ ରୋହିତ ଯାଦବଙ୍କୁ ଭାରତୀୟ ଅଣ୍ଡର-୧୯ ଦଳରେ ଚୟନ କରାଯାଇଥିଲା। କିନ୍ତୁ ବୟସ ସମ୍ପର୍କିତ ଅନିୟମିତତା ଯୋଗୁ ତାଙ୍କୁ ଦଳରୁ ବାଦ୍ ଦିଆଯାଇଛି।