ନୁଆଦିଲ୍ଲୀ, ୧୪।୭- ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଙ୍ଗଳବାର ହେମଙ୍ଗ ଅମିନ୍ଙ୍କୁ ଏହାର ଅନ୍ତରୀଣ ସିଇଓ ଭାବେ ନିଯୁକ୍ତ କରିଛି। ଗତ ସପ୍ତାହରେ ରାହୁଲ ଜୋହରୀ ଇସ୍ତଫା ପତ୍ର ଗ୍ରହଣ ହେବା ପରେ ବିସିସିଆଇର ଏହି ସମ୍ମାନଜନକ ପଦଟି ଖାଲି ପଡ଼ିଥିଲା। ହେମଙ୍ଗ ବର୍ତ୍ତମାନ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଚିଫ୍ ଅପରେଟିଂ ଅଫିସର (ସିଓଓ) ଭାବେ କାର୍ଯ୍ୟ କରୁଛନ୍ତି। ୨୦୧୭ରେ ସେ ଆଇପିଏଲ୍ ସିଓଓ ଭାବେ ନିଯୁକ୍ତ ହୋଇଥିଲେ। ବିସିସିଆଇର ଜୈନିକ ଅଧିକାରୀ ନିଜ ନାମ ଗୋପନ ରଖି ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ‘ଏହି ପଦ ପାଇଁ ଅମିନ୍ ସବୁଠାରୁ ଉପଯୁକ୍ତ ବ୍ୟକ୍ତି। ସତ କହିବାକୁ ଗଲେ ବିସିସିଆଇରେ ତାଙ୍କ ଅବଦାନ ରାହୁଲ ଜୋହରୀଙ୍କଠାରୁ ଯଥେଷ୍ଟ ଅଧିକ। ବିସିସିଆଇର ଅଧିକାଂଶ ବାଣିଜିକ୍ୟ କାରବାର ପାଇଁ ସେ ପ୍ରକୃତ କାମ କରିଛନ୍ତି’। ଏଠାରେ ଉଲ୍ଲେଖଯୋଗ୍ୟ, ଗତବର୍ଷ ଆଇପିଏଲ୍ ଉଦ୍ଘାଟନୀ ଉତ୍ସବକୁ ଜାକ ଜମକରେ ଆୟୋଜନ ନ କରି ଏହାର ଅର୍ଥକୁ ପୁଲ୍ଓ୍ବାମା ଆଟାକ୍ରେ ଶହୀଦ୍ ହୋଇଥିବା ଯବାନଙ୍କ ପରିବାରକୁ ଦାନ କରିବାରେ ହେମଙ୍ଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେହିଭଳି ଜୋହରୀ ଗତ ବର୍ଷ ଡିସେମ୍ବରରେ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଥିବାବେଳେ ବିସିସିଆଇ ଗତ ଗୁରୁବାର ଏହାକୁ ଗ୍ରହଣ କରିଥିଲା। ଏଥିସହ ତାଙ୍କୁ ପଦ ଛାଡ଼ିବାକୁ ଇମେଲ୍ ଯୋଗେ କହିଥିଲା।


