ନୂଆଦିଲ୍ଲୀ,୨୪।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି। ଆହତ ସମସ୍ୟା ଯୋଗୁ ଉଇକେଟକିପର ବ୍ୟାଟର ଈଶାନ କିଶନ ଦ୍ୱିତୀୟ ଟି-୨୦ ମ୍ୟାଚ୍ରୁ ବାଦ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ଉଇକେଟକିପର ବ୍ୟାଟର କୁମାର କୁଶାଗ୍ରଙ୍କୁ ଭାରତୀୟ ଦଳରେ ସାମିଲ କରିଛି ବିସିସିଆଇ। ତେବେ କୁଶାଗ୍ରଙ୍କୁ କେବଳ ଦ୍ୱିତୀୟ ଟି-୨୦ ମ୍ୟାଚ ପାଇଁ ବ୍ୟାକଅପ ଭାବେ ଦଳରେ ସ୍ଥାନ ମିଳିଛି।
ବିସିସିଆଇ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତି ଅନୁଯାୟୀ, ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ ସମୟରେ ଈଶାନ କିଶନଙ୍କ ଡାହାଣ ଜଙ୍ଘର ମାଂସପେଶୀରେ ସାମାନ୍ୟ ଟାଣ ଲାଗିଥିଲା। ଏହି କାରଣରୁ ସେ ଶନିବାର ଖେଳାଯିବାକୁ ଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍ରେ ଖେଳିପାରିବେ ନାହିଁ। ଈଶାନଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ବିସିସିଆଇର ମେଡିକାଲ ଟିମ ନଜର ରଖିଛି। କୁମାର କୁଶାଗ୍ର ବର୍ତ୍ତମାନ ନ୍ୟୁଜିଲାଣ୍ଡରେ ଅଛନ୍ତି। ସେ ଭାରତ ‘ଏ’ ଦଳ ସହ ଖ୍ରୀଷ୍ଟଚର୍ଚ୍ଚରେ ରହିଛନ୍ତି। ଏବେ ତାଙ୍କୁ ଭାରତୀୟ ସିନିୟର ଦଳରେ ସାମିଲ କରାଯାଇଛି।
ଶ୍ରେୟସ ଆୟର (ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ (ଉଇକେଟକିପର), ବୈଭବ ସୂର୍ଯ୍ୟବଂଶୀ, ତିଳକ ବର୍ମା (ଉପଅଧିନାୟକ), ଅକ୍ଷର ପଟେଲ, ଶିବମ ଦୁବେ, ନୀତିଶ କୁମାର ରେଡ୍ଡୀ, ନମନ ଧୀର, ପ୍ରିନ୍ସ ଯାଦବ, ମୟଙ୍କ ଯାଦବ, ଅର୍ଶଦୀପ ସିଂହ, ଭୁବନେଶ୍ୱର କୁମାର, ବରୁଣ ଚକ୍ରବର୍ତ୍ତୀ, କୁଲଦୀପ ଯାଦବ ଓ କୁମାର କୁଶାଗ୍ର (ଉଇକେଟକିପର)।
ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ ଆଜି ଅକ୍ଟୋବର ୨୪ରେ ଖ୍ରୀଷ୍ଟଚର୍ଚ୍ଚର ହାଗଲି ଓଭାଲ ଷ୍ଟାଡିୟମରେ ଖେଳାଯିବ। ଏହି ପଡ଼ିଆରେ ହିଁ ପ୍ରଥମ ଟି-୨୦ ମ୍ୟାଚ ଖେଳାଯାଇଥିଲା। ଏଥିରେ ୪୫୦ରୁ ଅଧିକ ରନ ସଂଗ୍ରହ ହୋଇଥିଲା। ତେଣୁ ଦ୍ୱିତୀୟ ମ୍ୟାଚ୍ରେ ମଧ୍ୟ ବଡ଼ ସ୍କୋର ଦେଖିବାକୁ ମିଳିବାର ଆଶା ରହିଛି।