T20 World Cup: ଟି୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଟିମ୍‌ ଘୋଷଣା, ୨ ବର୍ଷ ପରେ ଦଳକୁ ଫେରିଲେ…

ନୂଆଦିଲ୍ଲୀ,୨।୫: ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର। ଇଂଲଣ୍ଡରେ ଆୟୋଜିତ ହେବାକୁ ଯାଉଥିବା ମହିଳା ଟି-୨୦ ବିଶ୍ୱକପ ୨୦୨୬ ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି। ଗତବର୍ଷ ଦିନିକିଆ ବିଶ୍ୱକପ ଜିତି ଇତିହାସ ରଚିଥିବା ଟିମ୍‌ ଇଣ୍ଡିଆ, ଏଥର ହରମନପ୍ରୀତ କୌରଙ୍କ ନେତୃତ୍ୱରେ ନିଜର ପ୍ରଥମ ଟି-୨୦ ଟାଇଟଲ ହାସଲ କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ।

ଶନିବାର, ମେ’ ୨ ତାରିଖରେ BCCI ମୁଖ୍ୟାଳୟରେ ଚୟନ କମିଟିର ଅଧ୍ୟକ୍ଷା ଅମିତା ଶର୍ମାଙ୍କ ନେତୃତ୍ୱରେ ୧୫ ଜଣିଆ ସ୍କ୍ବାର୍ଡ ଘୋଷଣା କରାଯାଇଛି। ପ୍ରାୟ ୨ ବର୍ଷର ବ୍ୟବଧାନ ଏବଂ ଆହତ ସମସ୍ୟା ପରେ ଯୁବ ଉଇକେଟକିପର-ବ୍ୟାଟର ୟସ୍ତିକା ଭାଟିଆ ଦଳକୁ ଫେରିଛନ୍ତି। WPL 2026ରେ ନିଜର ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିବା ଷ୍ଟାର ପେସର ନନ୍ଦନୀ ଶର୍ମାଙ୍କୁ ପ୍ରଥମ ଥର ପାଇଁ ଜାତୀୟ ଦଳରେ ସ୍ଥାନ ମିଳିଛି। ଦିନିକିଆ ବିଶ୍ୱକପରେ ଷ୍ଟାର ଓପନର ରହିଥିବା ପ୍ରତିକା ରାୱଲଙ୍କୁ ଟି-୨୦ ଫର୍ମାଟରେ ସ୍ଥାନ ମିଳିନାହିଁ। ସେହିପରି ସ୍ନେହ ରାଣା, ଅମନଜୋତ କୌର ଏବଂ ହରଲୀନ ଦେଓଲ ମଧ୍ୟ ଦଳରୁ ବାଦ ପଡ଼ିଛନ୍ତି।

ଖେଳାଳିଙ୍କ ନାମ ଭୂମିକା
ହରମନପ୍ରୀତ କୌର ଅଧିନାୟିକା
ସ୍ମୃତି ମନ୍ଧାନା ଉପ-ଅଧିନାୟିକା
ଶେଫାଳି ବର୍ମା ଓପନର
ଜେମିମା ରୋଡ୍ରିଗ୍ସ ବ୍ୟାଟର
ଦୀପ୍ତି ଶର୍ମା ଅଲରାଉଣ୍ଡର
ରିଚା ଘୋଷ ୱିକେଟକିପର
ୟସ୍ତିକା ଭାଟିଆ ୱିକେଟକିପର
ନନ୍ଦନୀ ଶର୍ମା ପେସର
ରେଣୁକା ସିଂ ପେସର
ଶ୍ରେୟଙ୍କା ପାଟିଲ ସ୍ପିନର
ରାଧା ଯାଦବ ସ୍ପିନର
ଅରୁନ୍ଧତୀ ରେଡ୍ଡୀ, କ୍ରାନ୍ତି ଗୌଡ଼, ଶ୍ରୀ ଚରଣୀ, ଭାରତୀ ଫୁଲମାଲି ଅନ୍ୟାନ୍ୟ

କେବେ ହେବ ମ୍ୟାଚ?
ଆରମ୍ଭ: ବିଶ୍ୱକପ ଜୁନ ୧୨ରୁ ଆରମ୍ଭ ହେବ।
ଭାରତ ବନାମ ପାକିସ୍ତାନ: ଭାରତ ତାର ପ୍ରଥମ ମ୍ୟାଚ ଜୁନ ୧୪ରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିରୁଦ୍ଧରେ ଖେଳିବ।
ପ୍ରସ୍ତୁତି: ବିଶ୍ୱକପ ପୂର୍ବରୁ ଏହି ଦଳ ଇଂଲଣ୍ଡ ବିପକ୍ଷରେ ୩ଟି ଟି-୨୦ ମ୍ୟାଚ୍‌ର ଏକ ସିରିଜ ମଧ୍ୟ ଖେଳିବ।

ଦିନିକିଆ ବିଶ୍ୱକପ୍‌ରେ ଚାମ୍ପିଅନ ହେବା ପରେ ଏବେ ସାରା ଦେଶର ନଜର ହରମନପ୍ରୀତଙ୍କ ବାହିନୀ ଉପରେ ରହିଛି। ଭାରତ ପ୍ରଥମ ଥର ପାଇଁ ମହିଳା ଟି-୨୦ ବିଶ୍ୱକପ ଟ୍ରଫି ଘରକୁ ଆଣିପାରିବ କି ନାହିଁ ତାହା ଆଗାମୀ ଦିଗରେ ସ୍ପଷ୍ଟ ହୋଇଯିବ।

Dharitri – Odisha’s No.1 Odia Daily

Share