Categories: ଖେଳ

ରାଗିଗଲା ବିସିସିଆଇ: ଡ୍ରେସିଂ ରୁମ୍‌ ବିବାଦକୁ ନେଇ ଖୁଲାସା

ନୂଆଦିଲ୍ଲୀ,୩୦।୯: ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ମିଡିଆ ରିପୋର୍ଟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି। କିଛି ବରିଷ୍ଠ ଖେଳାଳି ବିରାଟ କୋହଲିଙ୍କ ବିଷୟରେ ବିସିସିଆଇ ସଚିବ ଜୟ ଶାହାଙ୍କ ନିକଟରେ ଅଭିଯୋଗ କରିଥିବା ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ବିସିସିଆଇର କୋଷାଧ୍ୟକ୍ଷ ଅରୁଣ ଧୁମଲ ଏପରି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି। ଏହା ସହ ଧୁମଲ ପୁଣି ଥରେ ଦୋହରାଇଛନ୍ତି ଯେ, କୋହଲିଙ୍କ ଟି -୨୦ ଦଳର ଅଧିନାୟକତ୍ୱ ଛାଡିବାରେ ବିସିସିଆଇର କୌଣସି ଭୂମିକା ନାହିଁ ଏବଂ ଏହା ବିରାଟଙ୍କ ନିଜସ୍ବ ନିଷ୍ପତ୍ତି।
୧୬ ସେପ୍ଟେମ୍ବରରେ ବିରାଟ ଭାରତୀୟ ଟି -୨୦ ଦଳର ଅଧିନାୟକ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଥିଲେ। ଏହା ପରେ ଚର୍ଚ୍ଚା ହୋଇଥିଲା ଯେ କୋହଲି ଚୟନକର୍ତ୍ତାଙ୍କ ନିକଟକୁ ଯାଇ ରୋହିତଙ୍କୁ ଉପ-ଅଧିନାୟକ ପଦରୁ ହଟାଇବାକୁ କହିଥିଲେ। ସେହିପରି ନ୍ୟୁଜିଲାଣ୍ଡ ହାତରୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ପରାଜୟ ପରେ ଭାରତର ଦୁଇ ବରିଷ୍ଠ କ୍ରିକେଟର ଚେତେଶ୍ୱର ପୂଜାରା ଏବଂ ଅଜିଙ୍କେ ରାହାଣେ କୋହଲିଙ୍କ ବିଷୟରେ ଅଭିଯୋଗ କରିଥିଲେ।
ଏହି ରିପୋର୍ଟଗୁଡିକ ଉପରେ ଧୁମଲ ସାକ୍ଷାତକାରରେ କହିଛନ୍ତି, ଗଣମାଧ୍ୟମ ଏହି ନିର୍ବୋଧତା ଖବର ଲେଖିବା ବନ୍ଦ କରିବା ଉଚିତ୍‌। କୌଣସି ଭାରତୀୟ କ୍ରିକେଟର ବିସିସିଆଇକୁ ଲିଖିତ କିମ୍ବା କୌଖିକ ଅଭିଯୋଗ କରିନାହାଁନ୍ତି। ବିସିସିଆଇ ପ୍ରତ୍ୟେକ ମିଥ୍ୟା ରିପୋର୍ଟର ଉତ୍ତର ଦେଇପାରିବ ନାହିଁ। ଏଭଳି ମଥ୍ୟା ଖବର ଖେଳାଳିଙ୍କ ଉପରେ ପ୍ରଭାବ ପକାଇବ। ବିରାଟ ଅଧିନାୟକତ୍ୱ ଛାଡିବା ପରେ ଧୁମଲ କହିଛନ୍ତି, ଗଣମାଧ୍ୟମ ମୋତେ ପଚାରିଛି ଯେ ବିସିସିଆଇ ନିଷ୍ପତ୍ତି ନେଇଛି କି ମୁଁ କହିଲି ନାହିଁ, କାରଣ ଏହା ସତ୍ୟ। ବିସିସିଆଇ କୌଣସି ନିଷ୍ପତ୍ତି ନେଇ ନାହିଁ କିମ୍ବା ଆଲୋଚନା ମଧ୍ୟ କରି ନାହିଁ। ବିରାଟ ନିଜେ ନିଷ୍ପତ୍ତି ନେଇ ବିସିସିଆଇକୁ ଜଣାଇଥିଲେ ବୋଲି ସେ କହିଛନ୍ତି।

Share