Categories: ଖେଳ

ବିସିସିଆଇ-ଆର୍‌ସିବିର ସ୍ବତନ୍ତ୍ର ଶୁଭେଚ୍ଛା ବାର୍ତ୍ତା

ନୂଆଦିଲ୍ଲୀ,୫।୧୧: ଭାରତୀୟ କ୍ରିକେଟଜଗତରେ ଯେଉଁ କେତେଜଣ କ୍ରିକେଟର ଲୋକପ୍ରିୟତା ହାସଲ କରିଛନ୍ତି, ସେମାନଙ୍କ ମଧ୍ୟରୁ ବିରାଟ କୋହଲି ଜଣେ। ତାଙ୍କୁ କିଏ କୁହେ ‘ରନ୍‌ ମେଶିନ’ ତ କିଏ କୁହେ ‘ଚେଜ୍‌ ମାଷ୍ଟର’। ଶନିବାର ସେ ନିଜର ୩୪ତମ ଜନ୍ମଦିନ ପାଳନ କରୁଛନ୍ତି। ୧୯୮୮ ନଭେମ୍ବର ୫ରେ ଦିଲ୍ଲୀରେ ହୋଇଥିଲା ତାଙ୍କ ଜନ୍ମ। ୨୦୦୮ରେ ସେ ଅନ୍ତର୍ଜାତୀୟ କ୍ରିକେଟରେ କରିଥିଲେ ଡେବ୍ୟୁ। ସେବେଠାରୁ ସେ ପଛକୁ ଫେରି ଚାହିଁ ନାହାନ୍ତି। ଆଜି ତାଙ୍କ ଜନ୍ମଦିନ ଅବସରରେ ସାଥି କ୍ରିକେଟରଙ୍କଠାରୁ ଆରମ୍ଭ କରି ପ୍ରଶଂସକମାନେ ଶୁଭେଚ୍ଛା ଜଣାଉଛନ୍ତି। ଏହି କ୍ରମରେ ବିସିସିଆଇ ଏବଂ ଆର୍‌ସିବି ମଧ୍ୟ ସ୍ବତନ୍ତ୍ର ଭାବେ ବିରାଟଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ବିସିସିଆଇ କୋହଲିଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ଉପଲବ୍ଧିକୁ ଶେୟାର କରି ତାଙ୍କୁ ଶୁଭେଚ୍ଛା ଜଣାଇଛି। ଟୁଇଟ୍‌ କରି ବୋର୍ଡ ଲେଖିଛି, ୪୭୭ ଅନ୍ତର୍ଜାତୀୟ ମ୍ୟାଚ୍‌ ଏବଂ ଗଣନା ଜାରି ରହିଛି। ୨୪୩୫୦ ରନ୍‌ ଏବଂ ଏହା ବଢ଼ୁଛି। ୨୦୧୧ ଦିନିକିଆ ବିଶ୍ୱକପ୍‌ ଏବଂ ୨୦୧୩ ଚାମ୍ପିୟନ୍ସ ଟ୍ରଫିର ବିଜେତା। ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନ ସମୟର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଅନ୍ୟତମ ବିରାଟ କୋହଲିଙ୍କୁ ଜନ୍ମଦିନର ବହୁତ ବହୁତ ଶୁଭେଚ୍ଛା। ସେହିଭଳି ଆର୍‌ସିବି କୋହଲିଙ୍କ ଜନ୍ମଦିନରେ ସ୍ବତନ୍ତ୍ର ଭିଡିଓ ଶେୟାର କରିଛି। ୧୫ ବର୍ଷର ମହାନତା ଏବଂ ଢ଼େରସାରା ସ୍ମୃତି। ଆମେ ଭାଗ୍ୟଶାଳୀ ଯେ କୋହଲିଙ୍କ ଯୁଗରେ ଅଛୁ ବୋଲି ଫ୍ରାଞ୍ଚାଇଜ୍‌ ଲେଖିଛି।

କହିରଖୁଛୁ, କିଛି ଦିନରୁ କୋହଲି ଭଲ ଫର୍ମରେ ଅଛନ୍ତି। ସେ ଏସିଆ କପ୍‌ ୨୦୨୨ରେ ଆଫଗାନିସ୍ତାନ ବିପକ୍ଷରେ ଶତକ ମାରିବା ପରେ ଏବେ ଟି୨୦ ବିଶ୍ୱକପ୍‌ରେ ନିଜର ବ୍ୟକ୍ତିଗତ ପ୍ରଦର୍ଶନକୁ ଭଲ କରି ଚାଲିଛନ୍ତି। ଟୁର୍ନାମେଣ୍ଟରେ ଏଯାବତ ୪ ମ୍ୟାଚ୍‌ ଖେଳାଯାଇଥିବା ବେଳେ ସେ ତିନୋଟି ଅର୍ଦ୍ଧଶତକ ମାରିଛନ୍ତି।

Share