ବୁଲା ବିକାଳିଙ୍କ କବ୍‌ଜାରେ ବଜାର ପିଣ୍ଡି

ରାୟଗଡ଼ା,୨୩ା୩(ସ୍ବ.ପ୍ର.): ରାୟଗଡ଼ା ଜିଲା ସଦର ମହକୁମା ଠାରେ କୌଣସି ସ୍ଥାୟୀ ପରିବା ବଜାର ନିର୍ମାଣ ହୋଇନାହିଁ ା ତେଣୁ ଯିଏ ଯେଉଁଠି ବସି ବ୍ୟବସାୟ କଲା ସେଠାକୁ ଲୋକେ ଯାଇ କିଣାକିଣି କରୁଛନ୍ତି। ପୌର ପରିଷଦ କତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଯୋଗୁ ଏଭଳି ଚାଲିଥିବା ଅଭିଯୋଗ ହେଉଛି। ଏପରିିକି ପରିବା ବଜାର ପିଣ୍ଡି ନିର୍ମାଣ ହୋଇ ୪ ବର୍ଷ ବିତିଯାଇଥିଲେ ମଧ୍ୟ ତାହା ପ୍ରଦାନ କରାଯାଉନାହିଁ। ଶାସକ ଓ ବିରୋଧୀ ଦଳ ନେତାମାନେ ସେମାନଙ୍କ ଲୋକଙ୍କୁ ଦେବା ପାଇଁ ପିଣ୍ଡି ପ୍ରଦାନ ପ୍ରକ୍ରିୟାକୁ ଅଟକାଇ ରଖିଛନ୍ତି। ଅନ୍ୟପଟେ ଏହାର ସୁଯୋଗ ନେଇ ଗତ କିଛିଦିନ ହେବ ଯାଯାବର ବୁଲା ବିକାଳିମାନେ ଏହି ବଜାର ପିଣ୍ଡିକୁ ଏକ ପ୍ରକାର ଜବରଦଖଲ କରିଛନ୍ତି।
୨୦୧୯ରେ ରାୟଗଡ଼ା ସହରର ଶାରଳା ଛକରେ ୧୨ ଲକ୍ଷ ଟଙ୍କା ବ୍ୟୟରେ ବଜାର ପିଣ୍ଡି ନିର୍ମାଣ ହେଲା। ଏହାକୁ ପରିବା ବ୍ୟବସାୟୀଙ୍କୁ ଆବଣ୍ଟନ କରାଯିବ ବୋଲି ପିଣ୍ଡି ନିର୍ମାଣ ପୂର୍ବରୁ କୁହାଯାଇଥିଲା । ଏଥିପାଇଁ ଦୈନିକ ନିର୍ଦ୍ଦିଷ୍ଟ ଭଡା ସେମାନଙ୍କଠାରୁ ଆଦାୟ କରି ସେହି ସ୍ଥାନରେ ଏକ ସ୍ଥାୟୀ ପରିବା ବଜାର କରିବାକୁ ପ୍ରସ୍ତାବ ଥିଲା। ତେବେ ପିଣ୍ଡି ନିର୍ମାଣ ସରିବା ପରେ ଏହା ରାଜନୀତିର ପଶାପାଲି ଭିତରକୁ ଚାଲିଯାଇଛି। ପ୍ରାୟ ୧୦୦ ଜଣ ବ୍ୟବସାୟୀଙ୍କ ପାଇଁ ଏହି ପିଣ୍ଡି ନିର୍ମାଣ ହୋଇଥିଲେ ମଧ୍ୟ ଏ ଯାଏ ଗୋଟିଏ ବି ପିଣ୍ଡି ଆବଣ୍ଟନ ହୋଇନାହିଁ। ପିଣ୍ଡି ନେବାକୁ ଇଚ୍ଛୁକ ବ୍ୟବସାୟୀ ବାରମ୍ବାର ପୌର କାର୍ଯ୍ୟାଳୟ ଯାଇ ବିଭାଗୀୟ ଅଧିକାରୀଙ୍କୁ ପଚାରିଲେ କୌଣସି ସନ୍ତୋଷଜନକ ଉତ୍ତର ମିଳୁ ନ ଥିବା ଅଭିଯୋଗ ହେଉଛି। ବ୍ୟବସାୟୀ ସଂଘ ମଧ୍ୟ ପୌର ପରିଷଦ ନିର୍ବାହୀ ଅଧିକାରୀଙ୍କୁ ଏକାଧିକ ବାର ଅବଗତ କରାଇଛନ୍ତି ା ତଥାପି କୌଣସି ସୁଫଳ ମିଳୁନାହିଁ। ତେଣୁ କୌଣସି ଉପାୟ ନ ପାଇ ପରିବା ବିକ୍ରେତାମାନେ ମୁଖ୍ୟରାସ୍ତା ଉପରେ ବସି ବ୍ୟବସାୟ କରୁଛନ୍ତି। ବର୍ଷା ଓ ଖରାରେ ସେମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପକ୍ଷରେ ରାସ୍ତା ଉପରେ ବ୍ୟବସାୟ ଦ୍ୱାରା ଟ୍ରାଫିକ ଜାମ ହେଉଛି। ଲୋକେ ଯାତାୟତରେଅସୁବିଧା ଭୋଗୁଛନ୍ତି। ସେପଟେ ବଜାର ପିଣ୍ଡିଗୁଡିକରେ ଯାଯାବରମାନେ ରହି ବ୍ୟବସାୟ କରୁଛନ୍ତି। ସେଠାରେ କେତେଜଣ ଅସାମାଜିକ କାର୍ଯ୍ୟ ଚଳାଉଥିବା ବାରମ୍ବାର ଅଭିଯୋଗ ପରେ ପୋଲିସ ଯାଞ୍ଚ କରିଛି। ଯାଯାବର ମରାଠି ସମ୍ପ୍ରଦାୟର କିଛି ଯୁବକଙ୍କୁ ଥାନାକୁ ନେଇ ପଚରାଚରା ପରେ ଚେତାବନୀ ଦେଇ ଛାଡିଥିବା ସୂଚନା ମିଳିଛି। ଏହି ପିଣ୍ଡି ଆବଣ୍ଟନ ହେଲେ ବ୍ୟବସାୟୀଙ୍କ ସମସ୍ୟା ଦୂର ହେବା ସହିତ ପୌର ପରିଷଦକୁ ରାଜସ୍ବ ମିଳିପାରିବ। ତେଣୁ ଜିଲାପାଳ ଏଥିପ୍ରତି ଧ୍ୟାନ ଦେବାକୁ ବ୍ୟବସାୟୀ ଦାବି କରିଛନ୍ତି ା ଏନେଇ ପୌର ନିର୍ବାହୀ ଅଧିକାରୀ ୟାସିର ବିଲାଲ ଅହମ୍ମଦଙ୍କୁ ପଚାରିବାରେ ଉକ୍ତ ସ୍ଥାନରେ ଥିବା ଜବରଦଖଲକାରୀଙ୍କୁ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି, ଖୁବଶୀଘ୍ର ପିଣ୍ଡି ଆବଣ୍ଟନ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି କହିଛନ୍ତି ା