ବାୟା ବାବା କଲେଜ ଛାତ୍ର ସଂସଦ ନିର୍ବାଚନ: ଚାମେଲୀ ଧରିଲେ ମଙ୍ଗ, ଦେଲେ ଗୁରୁମନ୍ତ୍ର…

 ମହାକାଳପଡ଼ା, ୧୩।୧୦ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାର ପ୍ରମୁଖ ଶିକ୍ଷାନୁଷ୍ଠାନ ଶ୍ରୀଶ୍ରୀ ବାୟା ବାବା କଲେଜର ଛାତ୍ର ସଂସଦ ନିର୍ବାଚନକୁ ଆଉ ୪୮ ଘଣ୍ଟା ବାକି ରହିଛି। ଏହାକୁ ନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଓ ବିଜୁ ଛାତ୍ର ଜନତା ଦଳ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ନିଜ ସପକ୍ଷରେ ଅଧିକ ଭୋଟ୍‌ ହାତେଇବା ପାଇଁ ଉଭୟ ଛାତ୍ର ସଂଗଠନ ବିଭିନ୍ନ ରଣନୀତି ଆପଣାଇଛନ୍ତି।

ଏହି ପରିପ୍ରେକ୍ଷୀରେ ରାଜ୍ୟରେ ଚର୍ଚ୍ଚିତ ତିଖିରୀ ସରପଞ୍ଚ ଚାମେଲୀ ଓଝା ଛାତ୍ରୀଛାତ୍ରଙ୍କୁ ବୁଝାଇବା ସହ ଗୁରୁମନ୍ତ୍ର ଦେଉଥିବା ଦେଖିବାକୁ ମିଳୁଛି। ତାଙ୍କ ସହ ସେଲ୍‌ଫି ନେବା ପାଇଁ ମଧ୍ୟ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ସରପଞ୍ଚ ଓଝା କଲେଜ ସମ୍ମୁଖ ମୁଖ୍ୟ ଫାଟକ ନିକଟରେ ପହଞ୍ଚିବା ପରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନା ପରିଲକ୍ଷିତ ହୋଇଥିଲା।

ଅନ୍ୟପକ୍ଷରେ, ସରପଞ୍ଚ ଓଝା କଲେଜ ନିକଟରେ ପହଞ୍ଚିବା ପରେ ସୁରକ୍ଷା ଦୃଷ୍ଟିରୁ ପୋଲିସ ମୁତୟନ କରାଯାଇଛି। ଉଭୟ ଛାତ୍ର ସଂଗଠନକୁ ସମର୍ଥନ କରୁଥିବା ପ୍ରମୁଖ ନେତାମାନେ ନିଜ ନିଜ ପକ୍ଷରେ ଭୋଟ୍‌ ହାତେଇବା ପାଇଁ ରଣନୀତି ଆରମ୍ଭ କରିଛନ୍ତି। ଗୁରୁବାର ମତଦାନ ହେବାକୁ ଥିବାବେଳେ କେଉଁ ପକ୍ଷର ପ୍ରାର୍ଥୀ ବାଜିମାତ୍‌ କରିବେ ଏବଂ କାହା ହାତକୁ ଛାତ୍ର ସଂସଦର ପଦପଦବୀ ଯିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

 

Dharitri – Odisha’s No.1 Odia Daily

Share