ନୂଆଦିଲ୍ଲୀ,୨୦।୧୦: କ୍ରିକେଟ ପଡ଼ିଆରେ ଅନେକ ରୋମାଞ୍ଚକର ଘଟଣା ଦେଖିବାକୁ ମିଳେ। କିନ୍ତୁ ୟୁଏଇରେ ଚାଲିଥିବା ଦିନିକିଆ ଟ୍ରାଇ ସିରିଜର ଆଫଗାନିସ୍ତାନ ଓ ଜିମ୍ବାୱେ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ରେ ଏମିତି ଏକ ଘଟଣା ଘଟିଛି, ଯାହାକୁ ଦେଖି ଅନେକ କ୍ରିକେଟ ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଛନ୍ତି। ଆଫଗାନିସ୍ତାନର ବୋଲର ଅଜମତୁଲ୍ଲା ଉମରଜାଇଙ୍କ ବଲ୍ରେ ଜିମ୍ବାୱେର ଓପନର୍ ବ୍ରାୟନ ବେନେଟ ବୋଲ୍ଡ ହୋଇଥିଲେ। ହେଲେ ଅମ୍ପାୟାର ତାଙ୍କୁ ଆଉଟ ଦେବା ପରିବର୍ତ୍ତେ ନଟଆଉଟ ଘୋଷଣା କରିଥିଲେ। ଏହା ପଛରେ ଥିବା କାରଣ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ମ୍ୟାଚ୍ର ଅଷ୍ଟମ ଓଭରର ଶେଷ ବଲ୍ରେ ଆଫଗାନିସ୍ତାନର ଦ୍ରୁତ ବୋଲର ଅଜମତୁଲ୍ଲା ଉମରଜାଇ ଏକ ଚମତ୍କାର ବଲ ପକାଇଥିଲେ। ଏହି ବଲ୍ରେ ବ୍ରାୟନ ବେନେଟଙ୍କ ଷ୍ଟମ୍ପ ଉଡ଼ିଯାଇଥିଲା। ଉମରଜାଇ ଉଇକେଟ ନେବାର ଖୁସିରେ ସେଲିବ୍ରେଶନ କରିବାକୁ ଲାଗିଥିଲେ। କିନ୍ତୁ ଠିକ ସେହି ସମୟରେ ବେନେଟ ଅମ୍ପାୟାରଙ୍କ ନିକଟରେ ଅଭିଯୋଗ କରିଥିଲେ। ବୋଲର ବଲ ପକାଇବା ପୂର୍ବରୁ ତାଙ୍କ ତଉଲିଆ ତଳେ ପଡ଼ିଯାଇଥିଲା, ଯାହା ଫଳରେ ତାଙ୍କର ଧ୍ୟାନ ଭଙ୍ଗ ହୋଇଥିଲା ବୋଲି ବେନେଟ ଇସାରାରେ ଜଣାଇଥିଲେ।
ଏହାପରେ ଅମ୍ପାୟାର ଆଲୋଚନା କରି ବଲ୍ଟିକୁ ଡେଡ ବଲ ଘୋଷଣା କରିଥିଲେ। ଫଳରେ ବୋଲ୍ଡ ହୋଇଥିଲେ ମଧ୍ୟ ବେନେଟଙ୍କୁ ଆଉଟ ଦିଆଯାଇ ନ ଥିଲା। ଏହି ନିଷ୍ପତ୍ତିରେ ଆଫଗାନିସ୍ତାନ ଖେଳାଳିମାନେ ନିରାଶ ହୋଇଥିଲେ।
କ୍ରିକେଟ୍ ଖେଳାଳିଙ୍କ ଅନିୟନ୍ତ୍ରିତ କାର୍ଯ୍ୟ କିମ୍ବା ବାହ୍ୟ ବାଧା ଯୋଗୁ ବ୍ୟାଟରଙ୍କ ଧ୍ୟାନ ଭଙ୍ଗ ହେଲେ, ପରିସ୍ଥିତି ଅନୁଯାୟୀ ଅମ୍ପାୟାର ଡେଡ ବଲ ଘୋଷଣା କରିପାରନ୍ତି। ତେବେ ବୋଲରଙ୍କ ତଉଲିଆ ତଳେ ପଡ଼ିଗଲେ ପ୍ରତ୍ୟେକ କ୍ଷେତ୍ରରେ ସ୍ବତଃସ୍ଫୂର୍ତ୍ତ ଭାବେ ଡେଡ ବଲ ହେବ ବୋଲି କହିବା ଠିକ ନୁହେଁ। ଏଭଳି ନିଷ୍ପତ୍ତି ଘଟଣାର ପରିସ୍ଥିତି ଓ କ୍ରିକେଟ ନିୟମ ଆଧାରରେ ଅମ୍ପାୟାର ନେଇଥାନ୍ତି।
ଅମ୍ପାୟାରଙ୍କ ନିଷ୍ପତ୍ତି ଯୋଗୁ ବେନେଟଙ୍କୁ ଏକ ଜୀବନଦାନ ମିଳିଥିଲା। କିନ୍ତୁ ଏହାର ଫାଇଦା ଜିମ୍ବାୱେ ନେଇପାରି ନ ଥିଲା। ବେନେଟ ୩୧ ରନ କରିବା ପରେ ଆଫଗାନିସ୍ତାନର ବୋଲର ଆଲ୍ଲାହ ମହମ୍ମଦ ଗଜନଫରଙ୍କ ବଲ୍ରେ ଏଲ୍ବିଡବ୍ଲ୍ୟୁ ଆଉଟ ହୋଇଥିଲେ।
ଏହି ମ୍ୟାଚ୍ରେ ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ସେଦିକୁଲ୍ଲା ଅଟଲଙ୍କ ଶତକୀୟ ଇନିଂସ ବଳରେ ୨୯୪ ରନ ସଂଗ୍ରହ କରିଥିଲା। ଅଟଲ ୧୦୨ ରନ୍ର ଦମଦାର ଇନିଂସ ଖେଳିଥିଲେ। ଜବାବରେ ଜିମ୍ବାୱେ ଦଳ ୩୮.୪ ଓଭରରେ ମାତ୍ର ୧୩୬ ରନ୍ରେ ଅଲଆଉଟ ହୋଇଯାଇଥିଲା। ଆଫଗାନିସ୍ତାନର ଷ୍ଟାର୍ ସ୍ପିନର୍ ରାଶିଦ ଖାନ ୧୭ ରନ ଦେଇ ୪ଟି ଉଇକେଟ ନେଇଥିଲେ। ଏହିପରି ଆଫଗାନିସ୍ତାନ ୧୫୮ ରନ୍ର ବଡ଼ ବ୍ୟବଧାନରେ ବିଜୟ ହାସଲ କରିଥିଲା। ଶତକୀୟ ଇନିଂସ ପାଇଁ ସେଦିକୁଲ୍ଲା ଅଟଲଙ୍କୁ ପ୍ଲେୟର୍ ଅଫ ଦି ମ୍ୟାଚ ଘୋଷଣା କରାଯାଇଥିଲା।