ବାଟବଣା ହୋଇଛି ‘ବସୁଧା’

ପରଜଙ୍ଗ, ୮।୧୨(ଡି.ଏନ.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକରେ ପାନୀୟ ଜଳଯୋଗାଣ ପ୍ରକଳ୍ପ ନିର୍ମାଣରେ ମହାଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛି ଭାଜପା। ବର୍ଷକ ମଧ୍ୟରେ ‘ବସୁଧା’ ଯୋଜନାରେ ନିର୍ମିତ ୪ ପାଣି ଟାଙ୍କି ଏବଂ କୂଅ ଭୁଶୁଡ଼ି ପଡ଼ିଲାଣି। ଏଥିରେ ଲକ୍ଷାଧିକ ଟଙ୍କା ପାଣିରେ ପଡ଼ିଛି। ପ୍ରକଳ୍ପ ଲକ୍ଷ୍ୟ ବାଟବଣା ହୋଇଛି। ବିଭାଗୀୟ ଅଧିକାରୀ ଏବଂ ଠିକାଦାରଙ୍କ ଅସାଧୁ ମେଣ୍ଟ ଯୋଗୁ କାମରେ ବ୍ୟାପକ ଅନିୟମିତତା ହେଉଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆଗକୁ ଜନଆନ୍ଦୋଳନ କରାଯିବ ବୋଲି ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଭୂତି ପ୍ରଧାନ ଚେତାବନୀ ଦେଇଛନ୍ତି। ସ୍ଥାନୀୟ ଭାଜପା କାର୍ଯ୍ୟାଳୟରେ ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ପ୍ରଶାସନିକ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି।
ଅଭିଯୋଗ ଅନୁଯାୟୀ, ପ୍ରକଳ୍ପ ନିର୍ମାଣ ବେଳେ ବିଭାଗ ପକ୍ଷରୁ ଠିକ୍‌ ଭାବେ ତଦାରଖ କରାଯାଉନାହିଁ। ଉପର ଠାଉରିଆ ଭାବେ କାମ ହେଉଛି। ଠିକାଦାରଙ୍କ ଉପରେ ଅଙ୍କୁଶ ରହୁନାହିଁ। ସେମାନେ କାମ ଆଣି ଦକ୍ଷତା ନ ଥିବା ପେଟି କଣ୍ଟ୍ରାକ୍ଟରଙ୍କୁ ଦେଉଛନ୍ତି। ଉପରୁ ତଳ ଯାଏ ସମସ୍ତେ ପିସି କାରବାରରେ ବୁଡ଼ି ରହିଛନ୍ତି। ଅଧିକ ଲାଭ ଆଶାରେ ନିମ୍ନମାନର ସାମଗ୍ରୀ ବ୍ୟବହାର ହେଉଛି। ପ୍ରକଳ୍ପର ସ୍ଥାୟିତ୍ୱ ରହୁନାହିଁ। ଏହି କାରଣରୁ କଙ୍କଡ଼ାସୋଡ଼ା, କୁଆଳୋରେ ପ୍ରକଳ୍ପ କୂଅ ଭୁଶୁଡ଼ି ପଡ଼ିଥିଲା। ଅନୁରୂପ ଭାବେ କଟାବାହାଳରେ ପାଣିଟାଙ୍କି ଛାତ ମାଡ଼ି ବସିଥିଲା। ସମାନ ଘଟଣା ଘଟିଛି କଣ୍ଢେଇଖୋଲରେ। ଚଳିତ ମାସ ୨ ତାରିଖରେ ପଞ୍ଚାୟତକୁ ହସ୍ତାନ୍ତର ହୋଇଥିବା ପ୍ରକଳ୍ପ କୂଳ ଭୁଶୁଡ଼ି ପଡ଼ିଛି। ଶତାଧିକ ପରିବାର ଶୁଦ୍ଧ ପାନୀୟ ଜଳ ଯୋଗାଣରୁ ବଞ୍ଚତ୍ତ ହୋଇଛନ୍ତି। ଏସବୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦଳ ପକ୍ଷରୁ ଦାବି କରାଯାଇଛି।
ଖବରଦାତା ସମ୍ମିଳନୀରେ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଧାନଙ୍କ ସମେତ ଅଷ୍ଟଶମ୍ଭୁ ମଣ୍ଡଳ ସଭାପତି ଦୟାନିଧି ସାହୁ, ୨ନଂ. ମଣ୍ଡଳ ସଭାପତି ରମେଶ ସାହୁ, ୩ନଂ. ଜୋନ୍‌ ମଣ୍ଡଳ ସଭାପତି ପ୍ରଶାନ୍ତ ନାୟକ, ପ୍ରବକ୍ତା ଦୁର୍ଗା ପ୍ରସାଦ ସାହୁ, ପୂର୍ବତନ ଜିଲା ପରିଷଦ ସଦସ୍ୟ ଲକ୍ଷ୍ମୀଧର ସାହୁ, ଦୀପକ ଗୋଚ୍ଛାୟତ, ସନ୍ତୋଷ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।