ବସୁଧା ଯୋଜନା: ଲୋକଙ୍କୁ ମିଳୁନାହିଁ ପାଣି

କର୍ଲାମୁଣ୍ଡା,୯ା୫(ପ୍ରଦୀପ କୁମାର ସାହୁ): ସରକାର ସମସ୍ତଙ୍କୁ ପିଇବାପାଣି ଯୋଗାଇବା ନିମନ୍ତେ ବିଭିନ୍ନ ସ୍ଥାନରେ ବସୁଧା ଯୋଜନାରେ ପାଣି ଟାଙ୍କି ନିର୍ମାଣ ପାଇଁ ଟେଣ୍ଡର ଜରିଆରେ ବ୍ୟବସ୍ଥା କରିଛନ୍ତି। ହେଲେ ପ୍ରକଳ୍ପ କାମ ଠିକ୍‌ ସମୟରେ ସମ୍ପୂର୍ଣ୍ଣ ହୋଇପାରୁ ନ ଥିବାରୁ ସାଧାରଣ ଲୋକେ ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି। ଏହାର ଏକ ଉଦାହରଣ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ରେ ଦେଖିବାକୁ ମିଳିଛି।

ବ୍ଲକ୍‌ର ପୁଟିଗା ଉତେଇ ନଦୀରୁ ସ. ମାଲପଡା ଗ୍ରାମପଞ୍ଚାୟତର ପୁଟିଗା ଓ ରାଜପୁର ଗ୍ରାମପଞ୍ଚାୟତର ବାଞ୍ଜିପଦରକୁ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ ନିମନ୍ତେ ୬ କୋଟି ୭୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଟେଣ୍ଡର ଜରିଆରେ ଜଣେ ଠିକାଦାରଙ୍କ ଦ୍ୱାରା ୫ବର୍ଷ ତଳେ କାର୍ଯ୍ୟ ଆରମ୍ଭ ହୋଇଥିଲା। ଉଭୟ ଗାଁରେ ପାଣି ଟାଙ୍କି ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ଅନ୍ୟାନ୍ୟ କାର୍ଯ୍ୟ ଶେଷ ହୋଇ ନ ଥିବାରୁ ରାଜପୁର, ବାଞ୍ଜିପଦର, ସାଲେପାଲି ଗ୍ରାମବାସୀ ପାନୀୟଜଳ ପାଇପାରୁନାହାନ୍ତି।

ଏହି ପ୍ରକଳ୍ପ ଜୁଲାଇ ୨୦୨୪ରେ ସମ୍ପୂର୍ଣ୍ଣ ହେବା ନେଇ ଅବଧି ରହିଥିବା ବେଳେ ତାହା ଶେଷ ହୋଇନାହିଁ। ଏ ନେଇ କର୍ଲାମୁଣ୍ଡା ବ୍ଲକ୍‌ ଦାୟିତ୍ୱରେ ଥିବା ନର୍ଲା ବ୍ଲକ ବିଭାଗୀୟ ଯନ୍ତ୍ରୀ ପ୍ରଭାତ କୁମାର ସେଠୀଙ୍କୁ ପଚାରିବାରୁ ପ୍ରକଳ୍ପ କାର୍ଯ୍ୟକ୍ଷମରେ ବିଳମ୍ବ ହେଉଥିବା କଥାକୁ ସ୍ବୀକାର କରିବା ସହ ଚଳିତମାସ ଶେଷ ସୁଦ୍ଧା ସମସ୍ୟା ସମାଧାନ କରାଯିବ ବୋଲି କହିଛନ୍ତି। ସେହିପରି ରାଜପୁର ପଞ୍ଚାୟତର କେନ୍ଦୁମୁଣ୍ଡି ଓ ସିଆଲପଲାଠାରେ ମଧ୍ୟ ବସୁଧା ଯୋଜନାରେ ପାଣି ଟାଙ୍କି ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଥିଲେ ଗ୍ରାମବାସୀ ଏହି ଯୋଜନାର ସୁବିଧା ପାଇପାରୁ ନ ଥିବା କୈଳାଶ ରଣା ଅଭିଯୋଗ କରିଛନ୍ତି।

Share