କାମରେ ଆସୁନି ବସୁଧା ଯୋଜନା

ଲାଞ୍ଜିଗଡ଼,୨୨।୫(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ୍‌ ଅନ୍ତର୍ଗତ କୁମଖାଲ ଗ୍ରାମପଞ୍ଚାୟତ ଅଧୀନ ପୁନିଗୁଡ଼ା ଗ୍ରାମରେ କାମରେ ଆସୁନି ବସୁଧା ଯୋଜନା। ବୋରୱେଲ ଖୋଳା ହୋଇ ୨ବର୍ଷ ପରେ ବି ଓଭରହେଡ଼ ପାଣିଟାଙ୍କି ନିର୍ମାଣ ହୋଇନି। ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ପ୍ରତ୍ୟେକ ଗ୍ରାମରେ ସବୁ ଲୋକଙ୍କ ପାଖରେ ବିଶୁଦ୍ଧ ଜଳ ପହଞ୍ଚାଇବା ପାଇଁ ବସୁଧା ଯୋଜନାରେ ପାଣି ଯୋଗାଇ ଦେଉଛନ୍ତି। ପରିତାପର ବିଷୟ ବୋରୱେଲ ଖୋଳା ହୋଇ ଦୀର୍ଘ ଦୁଇ ବର୍ଷ ବିତିଯାଉଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଓଭର୍‌ହେଡ ଟାଙ୍କିର ଦେଖାନାହିଁ। ନା ନିର୍ମାଣ କରାଯାଉଛି ଓଭରହେଡ୍‌ ଟାଙ୍କି ନା ଘରକୁ ଘର ସଂଯୋଗ ହାଇପାରିଛି ପାଇପ୍‌। କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ୍‌ ଅନ୍ତର୍ଗତ କୁମଖାଲ ଗ୍ରାମପଞ୍ଚାୟତ ଅଧୀନ ପୁନିଗୁଡ଼ା ଗ୍ରାମବାସୀ ଏଭଳି ଅଭିଯୋଗ କରିଛନ୍ତି। ଗାଁରେ ୪୨ରୁ ଊର୍ଦ୍ଧ୍ୱ ପରିବାର ରହୁଥିବାବେଳେ ଜନସଂଖ୍ୟା ୩୦୦ରୁ ଊର୍ଦ୍ଧ୍ୱ। ଗାଁରେ ନଳକୂପ ରହିଥିଲେ ମଧ୍ୟ କମ ପରିମାଣରେ ପାଣି ବାହାରି ସେଥିରେ ଲାଲ ଗୁଣ୍ଡ ବାହାରୁ ଥିବାରୁ ପାଣି ପିଇବା ପାଇଁ ଉପଯୋଗୀ ନୁହେଁ ବୋଲି ଗ୍ରାମବାସୀ କହିଛନ୍ତି। ଏପଟେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଥିବାବେଳେ ପାଣି ଟିକିଏ ପାଇବାକୁ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ। ଏ ନେଇ ଜଳଯୋଗୋଣ ବିଭାଗ ବ୍ଲକ ଦାୟିତ୍ୱରେ ଥିବା ଯନ୍ତ୍ରୀ ମୋହନ ଚରଣ ସିହାଳ ଓ ଦଶମନ୍ତ ମାଝିଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କେହି ଶୁଣୁ ନ ଥିବା ଗାଁ ଲୋକେ କହୁଛନ୍ତି। ଯଥାସମ୍ଭବ ଓଭରହେଡ୍‌ ଟାଙ୍କି ନିର୍ମାଣ କରି ଜଳ ଯୋଗାଇ ଦେବାକୁ କୁମଖାଲ ପଞ୍ଚାୟତ ପୂର୍ବତନ ସରପଞ୍ଚ ସରିତା ମାଝି, ମୁଲୁ ମାଝି, ପାଗୁ ମାଝି, ଦୁଗ୍ଦା ମାଝି, ଭୀମ ହରପାଲ୍‌, ଇନ୍ଦ୍ର ମାଝି, ରାମ ମାଝି, ବନ ହରପାଲ, ସବନ୍‌ ହରପାଲ୍‌, ଚିତ୍ର ହରପାଲ୍‌, ନୀଳକଣ୍ଠ, ଲଳିତା, ଭୀମ ହରପାଲଙ୍କ ସମେତ ଗ୍ରାମବାସୀ ଦାବି କରିଛନ୍ତି। ସୂଚନାଯୋଗ୍ୟ ଯେ, ଏହି ପଞ୍ଚାୟତ ସରପଞ୍ଚ ସାଣ୍ଡରୁ ମାଝି ବ୍ଲକ ସରପଞ୍ଚ ସଂଘ ସଭାପତି ରହିଥିବା ବେଳେ ଅଞ୍ଜଳି ମାଝି ଜିଲା ପରିଷଦ ସଭ୍ୟା ଅଛନ୍ତି। କିନ୍ତୁ ସେମାନଙ୍କ ପଞ୍ଚାୟତରେ ଏଭଳି ଅବହେଳାଙ୍କୁ ନେଇ ଜନପ୍ରତିନିଧିଙ୍କ ଉପରେ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ସମସ୍ୟାର ସମାଧାନ କରାନ ଯାଏ ତାହାହେଲେ ଜିଲାପାଳଙ୍କ ଦ୍ୱାରସ୍ଥ ହେବୁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଏ ନେଇ ବ୍ଲକ ଜଳଯୋଗାଣ ଦାୟିତ୍ୱରେ ଥିବା ଯନ୍ତ୍ରୀ ଦସମନ୍ତ ମାଝିଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଫୋନ ବନ୍ଦ ଥିବା ହେତୁ ଯୋଗାଯୋଗ ସମ୍ଭବ ହୋଇପାରି ନାହିଁ।