ଇନ୍ଦାଳୋ ପଞ୍ଚାୟତରେ ବସୁଧା ଯୋଜନା ବିଫଳ

ଡେରାବିଶ,୨୪ା୫(ସ୍ବ.ପ୍ର.):ଡେରାବିଶ ବ୍ଲକ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ କର୍ତ୍ତୃପକ୍ଷଙ୍କ ଖାମଖିଆଲି ନୀତି ଯୋଗୁ ଗରାଏ ପାଣି ପାଇଁ ସାଧାରଣ ଲୋକ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଛତାଠାରେ ଥିବା ରାଜ୍ୟର ପ୍ରଥମ ସୋଲାର ପମ୍ପ ଅଚଳ ହୋଇପଡ଼ିଥିବା ବେଳେ ପାଇପ୍‌ ବିଛାରେ ଅନିୟମିତତା ସାଧାରଣ ଲୋକଙ୍କୁ ଅତିଷ୍ଠ କରିଛି। ଓଭରହେଡ୍‌ ଟାଙ୍କି ଥାଇ ମଧ୍ୟ ଲୋକଙ୍କ ପାଖରେ ପାନୀୟ ଜଳ ପହଞ୍ଚତ୍ ପାରୁନାହିଁ। ଉକ୍ତ ବ୍ଲକ ଅଧୀନ ଇନ୍ଦାଳୋ ପଞ୍ଚାୟତରେ ଏହି ସମସ୍ୟା ଉତ୍କଟ ରୂପ ଧାରଣ କରିଛି।
ସୂଚନା ଅନୁଯାୟୀ, ଇନ୍ଦାଳୋ ପଞ୍ଚାୟତର ପାନୀୟ ଜଳ ସମସ୍ୟା ଦୂର କରିବାକୁ ତତ୍କାଳୀନ ଏମ୍‌ପି ବୈଜୟନ୍ତ ପଣ୍ଡାଙ୍କ କଲ୍ୟାଣ ପାଣ୍ଠିରୁ ଏକ ଓଭରହେଡ୍‌ ଟାଙ୍କି ନିର୍ମାଣ କରାଯାଇଥିଲା। ମାତ୍ର ଟାଙ୍କି ହେବା ପରେ ପାନୀୟ ଜଳ ସମସ୍ୟା ଦୂର ନ ହେବାରୁ ଆଉ ଏକ ପମ୍ପ ହାଉସ୍‌ ନିର୍ମାଣ କରାଯାଇ ଇନ୍ଦାଳୋ ପଞ୍ଚାୟତ ଅନ୍ତର୍ଗତ ବାମ୍ବିଲୋ, ଫାଣ୍ଡିବର ଛକଠାରୁ ଛକନା, ଦକ୍ଷିଣପାରି ଦେଇ ବାରଗୋଡ଼ିଆ ଯାଏ ୪୩ଟି ଷ୍ଟାଣ୍ଡପୋଷ୍ଟ ଦ୍ୱାରା ଦିନକୁ ୨ ଥର ପାଣି ଯୋଗାଇ ଦିଆଯାଉଥିଲା। ହେଲେ ଗତ ୩ ମାସ ହେବ ପମ୍ପହାଉସ୍‌ଠାରୁ ୧୦୦ ମିଟର ଦୂରରେ ଥିବା ଗ୍ରାମକୁ ପାନୀୟ ଜଳ ଆସୁନାହିଁ। କେଉଁ ଷ୍ଟାଣ୍ଡ ପୋଷ୍ଟରୁ ଅଳ୍ପ ପାଣି ବାହାରୁଛି ତ ଅନ୍ୟ କେତେକ ଷ୍ଟାଣ୍ଡପୋଷ୍ଟରୁ ଆଦୌ ପାଣି ବାହାରୁ ନାହିଁ। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ପାନୀୟ ଜଳ ସମସ୍ୟାରେ ଉବୁଟୁବୁ ହେଉଥିବା ଗ୍ରାମବାସୀ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଏ ସଂକ୍ରାନ୍ତରେ ଜଣାଇଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି ଦକ୍ଷିଣପାରି ଗ୍ରାମର ଚୌଧୁରୀ ରବୀନ୍ଦ୍ର କୁମାର ଜେନା କହିଛନ୍ତି। ପୂର୍ବରୁ ଛକନାରେ ନିର୍ମିତ ଓଭରହେଡ୍‌ ଟାଙ୍କି ଏଯାଏ କାର୍ଯ୍ୟକ୍ଷମ ହୋଇ ନ ଥିବା ବେଳେ ଏହି ପଞ୍ଚାୟତରେ ନାନକାର ଓ ଅଢ଼ଙ୍ଗାରେ ଦୁଇଟି ସ୍ଥାନରେ ପମ୍ପ ହାଉସ୍‌ ନିମନ୍ତେ ବୋରିଂ କରାଯାଇଛି। ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ନିମ୍ନମାନର ହେଉଥିବାରୁ ଓ ନିର୍ମାଣ ପରେ ଏହାର ରକ୍ଷଣାବେକ୍ଷଣ କରାଯାଉ ନ ଥିବାରୁ ତାହା କାର୍ଯ୍ୟକ୍ଷମ ହେବାର ଅଳ୍ପଦିନ ପରେ ଅଚଳ ହୋଇପଡୁଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ନିର୍ବାହୀ ଯନ୍ତ୍ରୀ ବସନ୍ତ କୁମାର ନାୟକଙ୍କୁ ଯୋଗାଯୋଗ କରିବାରୁ ଘଟଣାର ଅନୁଧ୍ୟାନ ପରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।